କନକ ବ୍ୟୁରୋ: ଦିନକୁ ଦିନ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ବଢ଼ିବାରେ ଲାଗିଛି। ଏଭଳି ନୃତ୍ୟ ପରିବେଷଣକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ତେବେ ଏଭଳି ନୃତ୍ୟ ପରିବେଷଣ ଦ୍ବାରା ଯାତ୍ରା ତା’ର ମୌଳିକତା ହରାଉଛି ବୋଲି ଅଭିଯୋଗ ହେଉଛି। ଆଉ ଯାତ୍ରାରେ ଅଶ୍ଳୀଳତାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଚେତିଛନ୍ତି ରାଜ୍ୟ ସରକାର ।

Advertisment
  • ଯାତ୍ରାରେ ଅଶ୍ଳୀଳ ନୃତ୍ୟ କଲେ ମିଳିବ ଦଣ୍ଡ
  • ଗାଇଡଲାଇନ ଆଣିଲା ସଂସ୍କୃତି ବିଭାଗ 

ଚାରିଆଡୁ ଚାପ ପଡିବା ପରେ, ଯାତ୍ରା ପାଇଁ ନୂଆ ଗାଇଡଲାଇନ ଜାରି କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏନେଇ ବିଧାନସଭାରେ ସଂସ୍କୃତି ମନ୍ତ୍ରୀ ଲିଖିତ ଉତ୍ତର ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଯାତ୍ରା ପାଇଁ ଗାଇଡଲାଇନ ଜାରି ହୋଇନଥିଲେ ମଧ୍ୟ, କନକ ନ୍ୟୁଜ ହାତରେ ଲାଗିଛି ଏକ୍ସକ୍ଲୁସିଭ୍ ମାର୍ଗଦର୍ଶିକା। ତେବେ ଏହି ସମ୍ଭାବ୍ୟ ଗାଇଡଲାଇନରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ, ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ କିମ୍ବା ବର୍ବରତା ଦେଖାଇଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।

  • ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓ ଅଙ୍ଗ ପ୍ରଦର୍ଶନ ମନା
  • ପଶୁପକ୍ଷୀଙ୍କ ପ୍ରତି ହିଂସ୍ର ଆଚରଣ ଦଣ୍ଡନୀୟ ଅପରାଧ
  • ସର୍ବସାଧାରଣରେ ଅଶ୍ଳୀଳତା ଓ ବର୍ବରତା ପାଇଁ ରହିଛି ଦଣ୍ଡବିଧାନ
  • ଧାରା ୨୯୬ ଅନୁଯାୟୀ ୩ ମାସ ଜେଲ୍‌ ଓ ଜରିମାନାର ପ୍ରାବଧାନ
  • ନଗ୍ନ ଓ ନୃଶଂସ ଦୃଶ୍ୟ ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରଭାବ ପକାଉଛି
  • ଯାତ୍ରା ପାଇଁ ଅନୁମତି ଦେବା ବେଳେ ସ୍ଥାନୀୟ ପ୍ରଶାସନ ସତର୍କ ରହିବାକୁ ପରାମର୍ଶ

ତେବେ ବିଳମ୍ବରେ ହେଲେ ବି ରାଜ୍ୟ ସରକାର ଯାତ୍ରା ଗାଇଡଲାଇନ ଆଣିବା ନେଇ ସୂଚନା ଦେବା ପରେ ଏହାକୁ ସ୍ବାଗତ କରିଛନ୍ତି ବରିଷ୍ଠ ଯାତ୍ରା କଳାକାର ଓ ଆୟୋଜକ। ଅନ୍ୟପଟେ ରାଜ୍ୟ ସରକାର କେବଳ ଘୋଷଣା ନକରି ଯାତ୍ରାରେ ଅଶ୍ଳୀଳତା ଓ ନୃଶଂସତା ବନ୍ଦ କରନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ। 

ରାଜ୍ୟ ସଂସ୍କୃତି ବିଭାଗ ପ୍ରସ୍ତୁତ କରୁଥିବା ମାର୍ଗଦର୍ଶିକାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି। ଯାତ୍ରାରେ ଅଶ୍ଳୀଳତା ରୋକିବାରେ ଏହା କେତେ ସକ୍ଷମ ହେବ ତାହା ସନ୍ଦେହ ସୃଷ୍ଟି କରିଛି।