କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ସ୍ପଷ୍ଟ କରିଛନ୍ତି କି, ସେ କାହିକି ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଉନାହାନ୍ତି । ଏହି କଥା ଅତି ଗମ୍ଭୀର ହୋଇଥିଲେ ବି ସେ ଏହାକୁ ଅତି ସହଜରେ ପ୍ରକାଶ କରିଛନ୍ତି । ଏକ ସାକ୍ଷାତକାରରେ ଓବାମା କହିଛନ୍ତି କି, ନା ମୁଁ ଏବେ ରାଜନୀତିରେ ଅଛି ନା ଆଗକୁ ରାଜନୀତି କରିବାର ଆଗ୍ରହ ରହିଛି । ସମ୍ବିଧାନ କିଛି ପଦ ପାଇଁ ମୋତେ ପ୍ରସ୍ତାବ ଦେଇପାରେ, ହେଲେ ମୋର ରାଜନୀତିରେ ରହିବାକୁ କୌଣସି ଇଚ୍ଛା ନାହିଁ ।
ଅଧିକ ପଢ଼ନ୍ତୁ : ବାରାକ ଓବାମାଙ୍କୁ ମାଙ୍କଡ ଭାବରେ ଚିତ୍ରଣ କରୁଥିବା ଜାତିଭେଦ ଭିଡିଓ ସେୟାର କରି ବିବାଦ ଘେରରେ ଟ୍ରମ୍ପ
ବାରାକ ଓବାମା ଜଣେ ସ୍ୱଚ୍ଛ ରାଜନେତା ଭାବେ ଯେତିକି ପରିଚିତ, ତା ଠାରୁ ଅଧିକ ଜଣେ ଭଲ ପରିବାର ଚଳାଇପାରୁଥିବା ଲୋକଭାବେ ପରିଚିତ । ଏହି କାରଣରୁ କେବଳ ଆମେରିକା ନୁହେଁ ଅନ୍ୟ ଦେଶମାନଙ୍କରେ ବି ତାଙ୍କର ଲୋକପ୍ରିୟତା ରହିଛି । ଯେବେ ଠାରୁ ସେ ରାଷ୍ଟ୍ରପତି ପଦ ଛାଡ଼ିଛନ୍ତି ସେବେଠାରୁ ସେ ରାଜନୀତିରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଛନ୍ତି । ହେଲେ ଏହାକୁ ନେଇ ତାଙ୍କୁ ଅନେକ ସମୟରେ ଗଣମାଧ୍ୟମ ପ୍ରଶ୍ନ ପଚାରିଛି । ହେଲେ ଏଥର ଏହି ପ୍ରଶ୍ନର ସେ ସ୍ପଷ୍ଟ ଉତ୍ତର ଦେଇଛନ୍ତି । ସେ କହିଛନ୍ତି କି. ମୁଁ ସମ୍ବିଧାନ ଉପରେ ଯେତିକି ଭରସା କରେ ସେତିକି ଭରସା ମୋ ପରିବାର ଉପରେ ମଧ୍ୟ କରିଥାଏ । ସେ କହିଛନ୍ତି କି, ଯଦି ମୁଁ ଆଉଥରେ ନିର୍ବାଚନ ଲଢ଼ିବାକୁ ଚେଷ୍ଟା କରେ ତେବେ ମୋତେ ମୋ ପତ୍ନୀ ଛାଡ଼ପତ୍ର ଦେଇଦେବେ । ସେ କହିଛନ୍ତି, ହ୍ୱାଇଟ୍ ହାଉସ୍ ଛାଡ଼ିବା ପରେ ତାଙ୍କ ପ୍ରାଥମିକତା ବଦଳି ଯାଇଛି । ଏବେ ସେ ଓ ତାଙ୍କ ପତ୍ନୀ ଯୁବବର୍ଗଙ୍କୁ ମାର୍ଗଦର୍ଶନ ଦେବାକୁ ପ୍ରାଥମିକତା ଦେଉଛନ୍ତି । ସେ କହିଛନ୍ତି, ଆମେରିକାର ପ୍ରକୃତ ପରିବର୍ତ୍ତନ ଦେଶର ୨୦-୩୦ ବର୍ଷର ଯୁବବର୍ଗ କରିପାରିବେ । ଏବେ ତାଙ୍କର ରାଜନୀତି ନିର୍ବାଚନ ମଇଦାନ ନୁହେଁ ବରଂ ଦେଶର ଯୁବପୀଢ଼ିଙ୍କୁ ମାର୍ଗଦର୍ଶନ କରାଇବା ।
Follow Us