କନକ ବ୍ୟୁରୋ: ବିଶ୍ୱର ୮୦ ପ୍ରତିଶତ ସମସ୍ୟାର ମୂଳ ହେଉଛି ବୃଦ୍ଧମାନେ କ୍ଷମତାରେ ରହିବା । ସେମାନେ ପିରାମିଡ୍ ନିର୍ମାଣ କରନ୍ତି ଏବଂ ସବୁକିଛି ଉପରେ ସେମାନଙ୍କର ନାମ ରଖନ୍ତି । ଶୁକ୍ରବାର ଲଣ୍ଡନରେ ବ୍ରିଟିସ ଐତିହାସିକ ଡେଭିଡ୍ ଓଲୁସୋଗାଙ୍କୁ ଏଭଳି କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ୱାସିଂଟନ ଡିସିରେ ନ୍ୟାସନାଲ ଗାର୍ଡ ସୈନ୍ୟ ନିୟୋଜନ ପାଇଁ ଟ୍ରମ୍ପ ତାଙ୍କ ପଦକ୍ଷେପକୁ ସମର୍ଥନ କରିବାର ଏକ ମାସ ପରେ ଓବାମାଙ୍କର ଏଭଳି ମନ୍ତବ୍ୟ ଆସିଛି । ଓବାମାଙ୍କର ଏହି ମନ୍ତବ୍ୟ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ନୁହେଁ ତ ବୋଲି ପ୍ରଶ୍ନ ଉଠିଛି । 

Advertisment

ଟ୍ରମ୍ପ କହିଥିଲେ ଯେ, ଦେଶର ରାଜଧାନୀରେ ହିଂସାତ୍ମକ ଅପରାଧ ବୃଦ୍ଧିକୁ ରୋକିବା ପାଇଁ ଅସାଧାରଣ ପଦକ୍ଷେପ ଆବଶ୍ୟକ । ଲୋକେ ଯାହା କହୁଛନ୍ତି ସେହି ଅନୁଯାୟୀ ମୁଁ ଜଣେ ଏକଛତ୍ରବାଦୀ ଶାସକ ନୁହେଁ । ମୁଁ ଜଣେ ସାଧାରଣ ଜ୍ଞାନ ଥିବା ଚତୁର ବ୍ୟକ୍ତି । ଚଳିତ ବର୍ଷ ଜାନୁଆରି ୨୦ରେ ରାଷ୍ଟ୍ରପତି କାର୍ଯ୍ୟଭାର ଗ୍ରହଣ କରିଥିବା ଟ୍ରମ୍ପଙ୍କ ମନ୍ତବ୍ୟ ବିରୋଧୀଙ୍କୁ ଲକ୍ଷ୍ୟ କରି ଦିଆଯାଇଥିଲା ଯେଉଁମାନେ ତାଙ୍କୁ ଏକଛତ୍ରବାଦୀ ଶାସକ ପରି କାର୍ଯ୍ୟ କରୁଥିବା ଅଭିଯୋଗ କରିଥିଲେ ।

୨୦୦୮ରୁ ୨୦୧୭ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିବା ଓବାମା ବୃଦ୍ଧ ନେତାମାନଙ୍କ ବିଷୟରେ କହିଥିଲେ ‌ଯେ ସେମାନେ ସାଧାରଣତଃ ରାସ୍ତାରୁ ହଟନ୍ତି ନାହିଁ । ରାଜନୈତିକ ନେତାମାନେ ମନେ ରଖିବା ଜରୁରୀ ଯେ ଆପଣ ଏକ ଦାୟିତ୍ୱ ବହନ କରିବାକୁ ସେଠାରେ ଅଛନ୍ତି । କିନ୍ତୁ ଆପଣ ସାରା ଜୀବନ ସେଠାରେ ରହିବେନି, ଆପଣ ନିଜର କ୍ଷମତା ବା ଗୁରୁତ୍ୱ ବଢ଼ାଇବା ପାଇଁ ସେଠାରେ ନାହାନ୍ତି  । ଗର୍ଭବତୀ ମହିଳାଙ୍କ ପାରାସିଟାମଲ ସେବନ ସହ ପିଲାଙ୍କ ମାନସିକ ରୋଗ ‘ଅଟିଜିମ୍‌’ର ସମ୍ପର୍କ ଅଛି ବୋଲି ଟ୍ରମ୍ପଙ୍କ ମତକୁ ସମାଲୋଚନା କରି ଓବାମା ଏହାକୁ ‘ସତ୍ୟ ବିରୁଦ୍ଧରେ ହିଂସା’ ବୋଲି କହିଛନ୍ତି । ଏହି ଦାବିର କୌଣସି ଡାକ୍ତରୀ ବା ବୈଜ୍ଞାନିକ ପ୍ରମାଣ ନାହିଁ । ଏଭଳି ମନ୍ତବ୍ୟ ଜନସ୍ୱାସ୍ଥ୍ୟକୁ ଦୁର୍ବଳ କରିପାରେ, ଗର୍ଭବତୀ ମହିଳାଙ୍କ ପାଇଁ କ୍ଷତି ପହଞ୍ଚାଇପାରେ, ଯେଉଁ ପିଲାମାନଙ୍କର ଅଟିଜିମ୍ ସମସ୍ୟା ଅଛି ତାଙ୍କ ପିତାମାତାଙ୍କ ପାଇଁ ଚିନ୍ତା ସୃଷ୍ଟି କରିପାରେ । ପ୍ରଗତିଶୀଳ ଦୃଷ୍ଟିକୋଣ ଥିବା ବ୍ୟକ୍ତିମାନେ ଗଣତନ୍ତ୍ର ମାଧ୍ୟମରେ ପରିବର୍ତ୍ତନ ଚାହୁଥିବାବେଳେ ଟ୍ରମ୍ପଙ୍କ ସମେତ ଅନ୍ୟମାନେ ଏକ ପୁରୁଣା ଓ ରକ୍ଷଣଶୀଳ ବିଶ୍ୱ ଦୃଷ୍ଟିକୋଣକୁ ଫେରିବାକୁ ଚାହୁଛନ୍ତି ବୋଲି ଓବାମା କହିଛନ୍ତି।