କନକ ବ୍ୟୁରୋ: ବିଏମ୍ସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାର ପ୍ରତିବାଦରେ ଓଏଏସ୍ ସଂଘ ପକ୍ଷରୁ ନିଆଯାଇଥିବା ସମୂହ ଛୁଟି ନିଷ୍ପତ୍ତି ସ୍ଥଗିତ ରହିଛି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସାମୂହିକ ଛୁଟିକୁ ସାମୟିକ ପାଇଁ ସ୍ଥଗିତ ରଖାଯାଇଛି । ଗତକାଲି ରାତି ୧୧ଟାରେ ମୁଖ୍ୟ ଶାସନ ସଚିବ, ଡିଜିପି, ପୁଲିସ କମିସନର, ଏଜିଙ୍କ ସହ ଆଲୋଚନା କରିବା ପରେ ସଂଘ ନିଷ୍ପତ୍ତି ନେଇଛି । ଏଭଳି ଅମାନୁଷିକ ଆକ୍ରମଣ ପଛରେ ହାତରେ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କ ପ୍ରତିଶ୍ରୁତି ପରେ ଓଏଏସ ସଂଘ ସାମୂହିକ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖିଛି । ବିଏମସି ଅତିରିକ୍ତ କମିସନର ତଥା ଓଏଏସ ଅଧିକାରୀଙ୍କୁ ମାଡ଼ ଘଟଣାକୁ ବିରୋଧ କରି ଆଜିଠୁ ସାମୂହିକ ଛୁଟିରେ ଯିବାକୁ ଓଏଏସ୍ ଆସୋସିଏସନ ନିଷ୍ପତ୍ତି ନେଇଥିଲା ।
ବିଏମ୍ସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ବିଜେପି କର୍ପୋରେଟରଙ୍କ ସହ ତିନି ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି, କର୍ପୋରେଟର ଜୀବନ ରାଉତ, ରଶ୍ମି ମହାପାତ୍ର ଓ ଦେବାଶିଷ ପ୍ରଧାନ । ଖାରବେଳନଗର ଥାନାରେ ଏତଲା ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି । ଘଟଣାରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଛି । ଖାରବେଳ ନଗର ପୁଲିସ ଷ୍ଟେସନରେ ରୁଜୁ ହୋଇଥିବା ମାମଲା ଅନୁଯାୟୀ, ଘଟଣାଟି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ବିଏମସି ମୁଖ୍ୟାଳୟ ଭିତରେ ଘଟିଥିଲା । ଯେତେବେଳେ ଅତିରିକ୍ତ କମିସନର ନିୟମିତ ଜନଅଭିଯୋଗ ଶୁଣାଣି ବୈଠକର ଅଧ୍ୟକ୍ଷତା କରୁଥିଲେ । ଏହି ସମୟରେ ଅଫିସ ଭିତରେ ପଶି ଅତିରିକ୍ତ କମିସନରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ସମର୍ଥକ । ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ୍ ଚାମ୍ବର ଭିତରୁ ଘୋଷାଡ଼ି ଆଣି ବିଧା ଗୋଇଠା ମାରିଥିଲେ । ମାଡ଼ ମାରିବା ସମୟର ଭିଜୁଆଲ କ୍ୟାମେରାରେ କଏଦ ହୋଇଥିଲା । ଗୋଇଠା ପରେ ଗୋଇଠା, ବିଧା, ଚାପୁଡ଼ା ମାରି ଚାଲିଥିଲେ ୫ରୁ ୬ ଜଣ ବ୍ୟକ୍ତି । ଅତିରିକ୍ତ କମିସନରଙ୍କୁ ମାଡ଼ ମାରିବା ଘଟଣାରେ ଥାନାରେ ମାମଲା ହୋଇଥିଲା ।