କନକବ୍ୟୁରୋ : ଓଏଏସ ପଦବୀ ଓ ପଦୋନ୍ନତି ବିବାଦ, ସରକାରଙ୍କୁ ଅଡୁଆ ପଦୋନ୍ନତି। ଆହୁରି ୯୦୦ରୁ ଅଧିକ ଓଏଏସ୍ ପଦବୀ ସୃଷ୍ଟି ହେବାରେ ବାଧା, ହତାଶ ହେଉଛନ୍ତି ଆଶାୟୀ । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଓଏଏସ (OAS) ଏବଂ ଓଆରଏସ (ORS) ପଦବୀ ପାଇଁ ନୂତନ ବିଜ୍ଞପ୍ତି ବାହାରିବାରେ ବିଳମ୍ବ ହେଉଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ରାଜ୍ୟ ସରକାର ସମ୍ପ୍ରତି ୪୨୫ଟି ପଦବୀ ପାଇଁ ସଂଶୋଧିତ ବିଜ୍ଞପ୍ତି ଜାରି କରିଥିଲେ ହେଁ, ପଦୋନ୍ନତି ଜନିତ ବିବାଦ ଯୋଗୁଁ ଆହୁରି ଅଧିକ ପଦବୀ ସୃଷ୍ଟି ହୋଇପାରୁ ନାହିଁ ।
ଅଧିକ ପଢନ୍ତୁ.... ହୁହୁ ହୋଇ ବଢ଼ିଚାଲିଛି ସୁନା ଦର : ବସନ୍ତ ପଞ୍ଚମୀରେ ରେକର୍ଡ ଛୁଇଁଲା ସୁନା ଦର
ଯଦି ପଦୋନ୍ନତି ଅଡୁଆ ସମାଧାନ ହୁଏ, ତେବେ ଆହୁରି ୯୦୦ରୁ ଅଧିକ ଓଏଏସ ଏବଂ ଓଆରଏସ ପଦବୀ ବାହାରିପାରନ୍ତା। ଯେଉଁଥିରେ ପ୍ରାୟ ୧୦୦ରୁ ଅଧିକ କେବଳ ଓଏଏସ ପଦବୀ ରହିବ। ୨୦୧୧ ବ୍ୟାଚର ସିଧାସଳଖ ନିଯୁକ୍ତ ଓଏଏସ ଅଧିକାରୀ ଏବଂ ୨୦୧୫ରେ ଓଆରଏସରୁ ପଦୋନ୍ନତି ପାଇଥିବା ଅଧିକାରୀଙ୍କ ମଧ୍ୟରେ ସିନିୟରିଟି (Seniority) ବା ବରିଷ୍ଠତାକୁ ନେଇ ବିବାଦ ଲାଗିରହିଛି। ଅର୍ଥ ଓ ରାଜସ୍ୱ ବିଭାଗ ମଧ୍ୟରେ ଥିବା ତ୍ରୁଟି ଏବଂ କ୍ୟାଡର ନିୟମରେ ପରିବର୍ତ୍ତନକୁ ନେଇ ଆଶାୟୀମାନେ ହତାଶ ହୋଇପଡ଼ିଛନ୍ତି।
ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ପାଇଁ ଫେବ୍ରୁଆରି ୨୦ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଆବେଦନ ହେବାକୁ ଥିବାବେଳେ ରାଜ୍ୟ ସରକାର ଏବେବି ପଦୋନ୍ନତି ଅଡ଼ୁଆ ତୁଟାଇ ପାରିବେ। ଏହାହେଲେ ୧୦୦ରୁ ଅଧିକ ଆଶାୟୀ ଏହି ବ୍ୟାଚ୍ରେ ଓଏଏସ୍ ହେବାର ସ୍ବପ୍ନ ପୂରଣ କରିପାରନ୍ତେ। ମିଳିଥିବା ସୂଚନା ଅନୁଯାୟୀ, ୨୦୧୧ ବ୍ୟାଚ୍ର ଓଏଏସ୍ ଅଧିକାରୀ ଏବଂ ୨୦୧୫ରେ ଓଆର୍ଏସ୍ରୁ ପଦୋନ୍ନତି ପାଇ ଓଏଏସ୍ ହୋଇଥିବା ଅଧିକାରୀମାନଙ୍କର ପଦୋନ୍ନତିକୁ ନେଇ ବିବାଦ ଲାଗିଛି। ରାଜ୍ୟ ସରକାରଙ୍କ କ୍ୟାଡର ରୁଲ୍ ଅନୁଯାୟୀ, ଗୋଟିଏ ପଦବିରେ ଦୁଇ ବ୍ୟାଚ୍ର ଅଧିକାରୀ ଥିଲେ, ଯିଏ ପଦୋନ୍ନତି ପାଇ ଆସିଥିବେ ସେ ବରିଷ୍ଠତା ପାଇବେ। ସିଧା ନିଯୁକ୍ତି ପାଇଥିବା ଅଧିକାରୀ ତାଙ୍କ ତୁଳନାରେ କନିଷ୍ଠ ହେବେ। କିନ୍ତୁ ଏହି ଦୁଇଟି ବ୍ୟାଚ୍ର ନିଯୁକ୍ତିବେଳେ ସିଧା ନିଯୁକ୍ତି ପାଇଥିବା ଅଧିକାରୀଙ୍କୁ ପଦୋନ୍ନତି ପାଇ ଆସିଥିବା ଅଧିକାରୀଙ୍କଠାରୁ ବରିଷ୍ଠତା ଦିଆଯାଇଛି।
ଯାହାକୁ ନେଇ ବିବାଦ ଉପୁଜିଲା, ଆଉ ମାମଲା କୋର୍ଟରେ ପହଞ୍ଚିଲା। ବିବାଦର ମୁଖ୍ୟ କାରଣ ହେଲା, ୨୦୧୧ ବ୍ୟାଚ୍ର ସିଭିଲ୍ ସର୍ଭିସ୍ ପରୀକ୍ଷାର୍ଥୀଙ୍କୁ ଓଏଏସ୍ ଗ୍ରୁପ୍-ଏ (ଜେବି)ରେ ମାର୍ଚ୍ଚ ୪, ୨୦୧୬ରେ ନିଯୁକ୍ତି ଦିଆଗଲା। ଏପଟେ ଓଆର୍ଏସ୍ ଅଧିକାରୀମାନେ ୨୦୧୫ରେ ପଦୋନ୍ନତି ପାଇଥିଲେ। ସିଧା ଓଏଏସ୍ ନିଯୁକ୍ତି ପାଇଥିବା ବ୍ୟାଚ୍ର ଯୁକ୍ତି ଥିଲା ଆମେ ୨୦୧୧ବ୍ୟାଚ୍ରେ ଗଣାଯାଉଛୁ। ମାନେ, ସେହି ବର୍ଷର ଖାଲି ପଦ ଦେଖି ପରୀକ୍ଷା ହୋଇଥିଲା। ସିଭିଲ୍ ସର୍ଭିସ୍ ପରୀକ୍ଷା ମାଧ୍ୟମରେ ନିଯୁକ୍ତି ପାଉଥିବ ଅଧିକାରୀଙ୍କ ପାଇଁ ଥିବା ନିୟମ ଅନୁଯାୟୀ, ବ୍ୟାଚ୍ ଅନୁଯାୟୀ ବରିଷ୍ଠତା ଗଣତି ହେବ। ସରକାରଙ୍କ ଅବହେଳା ଯୋଗୁ ଆମେ ୨୦୧୬ରେ କାର୍ଯ୍ୟରେ ଯୋଗଦେଲୁ।
ଆମକୁ ନିଯୁକ୍ତି ଦେଇଥିଲେ ୨୦୧୨ରେ ନିଯୁକ୍ତି ପାଇଥାନ୍ତୁ। ଅପରପକ୍ଷେ ୨୦୧୫ରେ ଓଆର୍ଏସ୍ରୁ ପଦୋନ୍ନତି ପାଇ ଓଏଏସ୍ ହୋଇଥିବା ବ୍ୟାଚ୍ର ଯୁକ୍ତି, ଆମେ ସେମାନଙ୍କ ନିଯୁକ୍ତି ପୂର୍ବରୁ ପଦୋନ୍ନତି ପାଇଛୁ। ସରକାରଙ୍କ ନିୟମ ଅନୁଯାୟୀ, ଯିଏ କାର୍ଯ୍ୟରେ ଆଗ ଯୋଗଦେଇଥିବେ ସେ ବରିଷ୍ଠ। ଓଏଏସ୍(ଜେବି) ପଦବିରେ ଆମେ ସେମାନଙ୍କ ପୂର୍ବରୁ ଯୋଗଦେଇଛୁ। ତେଣୁ ଆମେ ବରିଷ୍ଠ। ସେମାନଙ୍କୁ ୨୦୧୬ ନିଯୁକ୍ତି ବର୍ଷ ହିସାବରେ ଗଣତି କରାଯାଉ। ଏପଟେ ଓଆର୍ଏସ୍ରୁ ପଦୋନ୍ନତି ପାଇ ଓଏଏସ୍ ହୋଇଥିବା ଅଧିକାରୀଙ୍କୁ କ୍ୟାଡର ରୁଲ୍ ଉଲ୍ଲଂଘନ କରି ବରିଷ୍ଠତା ଦିଆଯାଇଥିଲେ ହେଁ ଓଟିଏଏସ୍ରୁ ପଦୋନ୍ନତି ପାଇ ଓଏଫ୍ଏସ୍ ହୋଇଥିବା ଅଧିକାରୀଙ୍କୁ ବରିଷ୍ଠତା ମିଳିଲାନି। ସମାନ ସିଭିଲ୍ ସିର୍ଭିସ୍ ପରୀକ୍ଷା ଦେଇ ଗ୍ରୁପ୍-ବିରେ ନିଯୁକ୍ତି ପାଇଥିବା ଗୋଟିଏ କ୍ୟାଡର ପାଇଁ ସରକାର ନିୟମ ବଦଳାଇଥିବାବେଳେ ଆଉ ଏକ କ୍ୟାଡର ପାଇଁ ନିୟମ ବଦଳାଇଲେନି। ତେଣୁ ସେମାନେ ବି କୋର୍ଟରେ ପହଞ୍ଚିଲେ। ରାଜସ୍ବ ଓ ଅର୍ଥ ବିଭାଗର ତ୍ରୁଟି ପାଇଁ କ୍ୟାଡର ରୁଲ୍ରେ ପରିବର୍ତ୍ତନ ଅଣାଗଲା। ଆଉ ବିବାଦ ଉଗ୍ର ରୂପ ନେଲା।
ଏଭଳି ପରିସ୍ଥିତିରେ ପ୍ରତିବର୍ଷ ରାଜସ୍ବ ବିଭାଗ ପକ୍ଷରୁ ଗ୍ରେଡେସନ୍ ତାଲିକା ପ୍ରକାଶ ପାଇବାର ନିୟମ ଥିଲେ ହେଁ ୨୦୧୯ ମସିହା ପରେ ଆଉ ଗ୍ରେଡେସନ୍ ତାଲିକା ପ୍ରକାଶ ପାଇପାରୁନି। ଏପରିକି ୨୦୨୧ ମସିହାରେ ରାଜସ୍ବ ବିଭାଗ ପକ୍ଷରୁ ଏକ ସମ୍ଭାବ୍ୟ ଗ୍ରେଡେସନ୍ ତାଲିକା ପ୍ରକାଶ ପାଇଥିଲା। ଏହାପରେ ଦୁଇ ଗୋଷ୍ଠୀ ମଧ୍ୟରେ ବରିଷ୍ଠତାକୁ ନେଇ ବିବାଦ ବଢ଼ିଥିଲା, ଆଉ ମାମଲା କୋର୍ଟରେ ପହଞ୍ଚିଲା। ୨୦୨୨ରେ ରାଜସ୍ବ ବିଭାଗ ସାଧାରଣ ପ୍ରଶାସନ ବିଭାଗକୁ ଏନେଇ ସ୍ପଷ୍ଟୀକରଣ ମାଗିଥିଲା। ଏହାପରେ ଦୁଇ ବ୍ୟାଚ୍ର ଅଧିକାରୀଙ୍କୁ ଏକସଙ୍ଗେ ପଦୋନ୍ନତି ଦେଇ ଅନୁସଚିବରୁ ଉପସଚିବ କରାଯାଇଥିଲା। କିନ୍ତୁ ଉପସଚିବରୁ ଯୁଗ୍ମ ସଚିବ ପଦୋନ୍ନତି ଦିଆଗଲାନି।
ଏହା ମଧ୍ୟରେ ୪ବର୍ଷ ବିତିଯାଇଥିଲେ ବି କେହି ଆଗ୍ରହ ଦେଖାଉନାହାନ୍ତି। ଯେଉଁଥିପାଇଁ ଏବେ ୨୦୦ରୁ ଅଧିକ ଅନୁସଚିବ ପାହ୍ୟାର ଅଧିକାରୀ ଉପସଚିବ ହୋଇପାରୁନାହାନ୍ତି, ପ୍ରାୟ ୧୦୦ ଜଣ ଉପସଚିବ ପାହ୍ୟାର ଅଧିକାରୀ ଯୁଗ୍ମ ସଚିବ ହୋଇ ପାରୁନାହାନ୍ତି। ସିଧାସଳଖ ଓଏଏସ୍ ପାଇ ଯେଉଁମାନେ ଓଏଏସ୍ (ଜେବି) ବା ବିଡିଓ ଏବଂ ଅନ୍ୟାନ୍ୟ ପଦପଦବିରେ ଅଛନ୍ତି ସେମାନେ ଏବେ ଉପରକୁ ଉଠିପାରୁନାହାନ୍ତି। ଓଏଏସ୍ ପାଇଲେ ଯେଉଁଠି ଜଣେ ପ୍ରାର୍ଥୀ ପ୍ରଥମ ନିଯୁକ୍ତି ପାଇବ ସେହି ପଦ ଖାଲି ନାହିଁ। ଫଳରେ ରାଜ୍ୟରେ ଏବେ ପ୍ରାୟ ୩୦୦ ଓଏଏସ୍ ପଦ ଖାଲିଥିଲେ ହେଁ ସାଧାରଣ ପ୍ରଶାସନ ବିଭାଗ କେବଳ ଅବସର ପାଇବାକୁ ଥିବା ଅଧିକାରୀଙ୍କୁ ହିସାବ କରି ୨୦୨୫ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୧୪ଟି ଓଏଏସ୍ ଏବଂ ୧୧୩ଟି ଓଆର୍ଏସ୍ ପଦ ପାଇଁ ବିଜ୍ଞପ୍ତିି ପ୍ରକାଶ କରିବାକୁ ଓପିଏସ୍ସିକୁ ଦେଇଛି।
--
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/24/loka-seba-bhaban-2026-01-24-08-37-20.jpg)