କନକ ବ୍ୟୁରୋ : ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଜିଦ୍ରେ ଅଟଳ ଓଏଏସ୍ ସଂଘ । ଆଜି ସଂଘ ଏକ ବୈଠକ କରି ରାଜ୍ୟ ସରକାରଙ୍କୁ ୩ ଦିନର ମହଲତ ଦେଇଛି । ସେମାନଙ୍କର ଦାବି ହେଉଛି, ଅଫିସରଙ୍କୁ ସୁରକ୍ଷା ଦିଆଯାଉ । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଏବଂ ସର୍ବୋପରି ରାଜ୍ୟ ସରକାର ଘଟଣାକୁ ନିନ୍ଦା କରନ୍ତୁ ବୋଲି ଦାବି ରଖିଛି ଓଏଏସ୍ ସଂଘ । ମାଡ଼ ଘଟଣା ପରେ ସମୂହ ଛୁଟିରେ ଅଛନ୍ତି ଓଏଏସ୍ ଅଧିକାରୀ ।
ରାଜ୍ୟର ପ୍ରାୟ ୧୫ କର୍ମଚାରୀ ସଂଘ ପକ୍ଷରୁ ଅତିରିକ୍ତ କମିସନରଙ୍କୁ ମାଡ ଘଟଣାକୁ ନିନ୍ଦା କରାଯାଇଛି । ଏହାର ପ୍ରଭାବ ସରକାରୀ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । ଅଫିସ୍ରେ ନାହାନ୍ତି ଅଫିସର , ସବୁ ଅଫିସ୍ ଏବେ ଖାଁ ଖାଁ । ଦୁଇ ଦିନ ହେବ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟରେ ଏଭଳି ସ୍ଥିତି । ଅଫିସ୍ ଆଗରେ ବିଭିନ୍ନ କାମ ପାଇଁ ଲୋକଙ୍କ ଗହଳି ଲାଗୁଛି । ମାତ୍ର ଶାସନ ବ୍ୟବସ୍ଥା ଠପ୍ ହୋଇପଡ଼ିଛି ।
ଅନ୍ୟପଟେ ଓଏଏସ୍ ଅଧିକାରୀଙ୍କ ଏହି ଦାବିକୁ ସମର୍ଥନ ଜଣାଇଛି ରାଜ୍ୟ ରାଜସ୍ବ ଅମଲା ସଂଘ । ଆଜି ମାଲକାନଗିରି ଜିଲ୍ଲାରେ ରାଜସ୍ବ ଅମଲା ସଂଘର କର୍ମକର୍ତ୍ତା ମାନେ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।