କନକ ବ୍ୟୁରୋ : ଓଡିଶାର ପିଛା ଛାଡୁନି ଅପପୁଷ୍ଟିର କଳଙ୍କ । ନବରଙ୍ଗପୁର ଜିଲ୍ଲ୍ଲାରେ ୫ ହଜାରରୁ ଅଧିକ ଶିଶୁ ପୁଷ୍ଟିହୀନତାର ଶିକାର ଅଭିଯୋଗ । ସେଥିରୁ ୬୮୧ ଜଣ ଅତିଶୟ କୁପୋଷଣର ଶିକାର ହୋଇଥିବା ଅଭିଯୋଗ ଆସିଛି । ଏପରିକି ଶିଶୁ ଦୃଷ୍ଟିଶକ୍ତି ମଧ୍ୟ ହରାଉଛନ୍ତି । ଅଙ୍ଗନବାଡ଼ିରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଅଣ୍ଡା ସହ ଅନ୍ୟ ପୁଷ୍ଟିକର ଖାଦ୍ୟ ଦିଆଯାଉଛି ବୋଲି କୁହାଯାଉଥିବା ବେଳେ ମହିଳା ଓ ଶିଶୁ ବିକାଶ ବିଭାଗ କାର୍ୟ୍ୟ ନେଇ ପ୍ରଶ୍ନ ଉଠିଛି ।

Advertisment

ନବରଙ୍ଗପୁର ରାଇଘର ବ୍ଲକ୍ ଧନପୁର ଗାଁର ନିରଞ୍ଜନ ଗଣ୍ଡଙ୍କ ୮ ମାସର ଶିଶୁ ଲଖନ, ଯିଏକି ପୁଷ୍ଟିହୀନତାର ଶିକାର ହୋଇ ଦୃଷ୍ଟିଶକ୍ତି ହରାଇଥିବା ଅଭିଯୋଗ ହୋଇଛି । ଏହା ଗୋଟିଏ ଉଦାହରଣ ମାତ୍ର । ଆଇସିଡିଏସର ତଥ୍ୟ ଅନୁସାରେ, ଜିଲ୍ଲାରେ ୬ ବର୍ଷ ବୟସ ମଧ୍ୟରେ ୫ ହଜାର ୫୧୨ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି । ନବଙ୍ଗପୁର ଜିଲ୍ଲାରେ କାହଁକି ଏତେ ଶିଶୁ କୁପୋଷଣର ଶିକାର ହେଉଛନ୍ତି, ତାହା ଚିନ୍ତାର କାରଣ ପାଲଟିଛି ।

ସଚେତନତା ଅଭାବରୁ ମହିଳାମାନେ ଗର୍ଭାବସ୍ଥାରେ ପୁଷ୍ଟିକର ଖାଦ୍ୟ ନ ଖାଇ ପାରମ୍ପରିକ ଜାଉ ଓ ପେଜ ଖାଉଛନ୍ତି  । ଯାହା ଶିଶୁଙ୍କ ଅପପୁଷ୍ଟିର କାରଣ । ତେବେ ଗର୍ଭବତୀ ମହିଳାଙ୍କୁ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ଯତ୍ନ ନିଆଯାଉଥିବା ଓ ପୁଷ୍ଟିକର ଖାଦ୍ୟ ଦିଆଯାଉଥିବା ଡିଏସଡବ୍ଲୁଓ କହିଛନ୍ତି । ବ୍ୟାପକ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି । 

ତେବେ ଗର୍ଭବତୀ ମହିଳାମାନେ ଅଙ୍ଗନବାଡ଼ି କର୍ମୀଙ୍କ ଉପଦେଶ ନମାନି ନିଜ ଇଚ୍ଛାରେ ଖାଦ୍ୟ ଖାଉଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଡିଏସଡବ୍ଲୁଓ କହିଛନ୍ତି । ନବରଙ୍ଗପୁର ଜିଲ୍ଲାରେ କୁପୋଷଣ ରୋକିବା ପାଇଁ  ଜିଲ୍ଲା ପ୍ରଶାସନ ଗୁରୁତ୍ୱର ସହ ଦୃଷ୍ଟି ନଦେଲେ ଏହା ବିକଟ ରୂପ ନେବାର ଆଶଙ୍କା ରହିଛି ।