କନକ ବ୍ୟୁରୋ : ଆଜିଠାରୁ ରାଜ୍ୟରେ ସ୍ବାସ୍ଥ୍ୟସେବା ଠପ ହୋଇଯାଇପାରେ । କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ନର୍ସିଂ ଅଫିସର ଡାକରା ଦେବା ପରେ କିଛି ଏଭଳି ଆଶଙ୍କା ପ୍ରକାଶ ପାଇଛି । ଆଜିଠୁ ସିରିଞ୍ଜ ଛାଡ ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି ନର୍ସିଂ ଅଫିସର । ସରକାର ଓ ନର୍ସିଂ ଅଫିସରଙ୍କ ଜିଦ୍ ପାଇଁ ଏବେ ବାଜିରେ ଲାଗିଛି ସାଢେ ୪ କୋଟି ଓଡ଼ିଆଙ୍କ ଜୀବନ । ଏସମା ଆଇନକୁ ଖାତିର ନକରି ନର୍ସିଂ ଅଫିସର ପୂରା ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଅଚଳ କରିବାକୁ ବସିଥିବା ବେଳେ ସରକାରଙ୍କ ସହ ପ୍ରଥମ ଆଲୋଚନା ବିଫଳ ହୋଇଛି ।
୧୦ ଦଫା ଦାବି ନେଇ ଦୀର୍ଘଦିନ ହେବ ଆନ୍ଦୋଳନ କରୁଛନ୍ତି ନର୍ସିଂ ଅଫିସର । ଏସମା ଲାଗୁ ହେବା ସତ୍ତ୍ବେ ଆଜି କାର୍ୟ୍ୟବନ୍ଦ କରିବାକୁ ଚରମ ନିଷ୍ପତ୍ତି ନେଇଛି ନର୍ସିଂ ଅଫିସର ସଂଘ । ଯାହାଦ୍ବାରା ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା ଭୟଙ୍କର ପ୍ରଭାବିତ ହୋଇପାରେ । ରାଜ୍ୟର ପ୍ରାୟ ୧୫ ହଜାର ନର୍ସ ଏହି ଆନ୍ଦୋଳନରେ ଯୋଗଦେଇଛନ୍ତି । ରାଜ୍ୟର ପ୍ରମୁଖ ସରକାରୀ ହସ୍ପିଟାଲ ଗୁଡ଼ିକର ନର୍ସମାନେ ଏଥିରେ ଯୋଗଦେଇଛନ୍ତି । ୧୦ ଦଫା ଦାବି ନେଇ ଏହି ଆନ୍ଦୋଳନ ଚାଲିଛି । ଆଜିଠାରୁ ସେମାନେ କାର୍ୟ୍ୟବନ୍ଦ ଆନ୍ଦୋଳନ କରିବାକୁ ଯାଉଥିବା ବେଳେ ରୋଗୀ ସେବାର ଗଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ସେପଟେ ଓଡିଶା ନର୍ସିଂ କର୍ମଚାରୀ ସଂଘ ଦାବି ଉପରେ ବିଚାରବିମର୍ଶ ପାଇଁ ଗଠିତ ହେବ ଅନ୍ତଃବିଭାଗୀୟ କମିଟି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ଆନ୍ଦୋଳନରୁ ଓହରିବାକୁ ନର୍ସିଂ ଅଫିସରଙ୍କୁ ନିବେଦନ କରିଛନ୍ତି ରାଜ୍ୟ ସରକାର ।