କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ବୟାନ କରୁଛି ଯେ ନର୍ସିଂ ଅଫିସର ଆନ୍ଦୋଳନରେ ବସିବା ଯୋଗୁଁ କେମିତି ଚାଲିଛି ରୋଗୀ ଚିକିତ୍ସା । ସ୍ୱାସ୍ଥ୍ୟସେବାରେ କିପରି ବ୍ୟାଘାତ ନ ଆସିବ, ସେଥିପାଇଁ ନର୍ସ ଛାତ୍ରଛାତ୍ରୀଙ୍କୁ କାର୍ୟ୍ୟରେ ନିୟୋଜିତ କରାଯାଇଛି । ହେଲେ ବିଡ଼ମ୍ବନାର ବିଷୟ ହେଉଛି, ରୋଗୀଙ୍କୁ ସାଲାଇନ କେମିତି ଚଢ଼ାଯିବ, ଇଞ୍ଜେକ୍ସନ କେମିତି ଦିଆଯିବ ଓ ରକ୍ତ ନମୁନା କିପରି ସଂଗ୍ରହ କରାଯିବ, ସେ ବିଷୟରେ ଜାଣିନାହାନ୍ତି ନର୍ସ ଛାତ୍ରଛାତ୍ରୀ । ଫଳରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ନାହିଁ ନଥିବା ସମସ୍ୟାର ସାମ୍ନା କରିଛନ୍ତି ।
କେବଳ ରାୟଗଡା ନୁହେଁ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ସମେତ ସାରାରାଜ୍ୟର ସ୍ଥିତି ପ୍ରାୟତଃ ସମାନ । ସବୁଠି ନର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରୋଗୀ ସେବା ପ୍ରଭାବିତ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ଯୋଗୁଁ ଏମରଜେନ୍ସି ୱାର୍ଡରେ ନାହାନ୍ତି ନର୍ସ । ନିଜ ଜିଦରେ ଅଟଳ ନର୍ସିଂ ସଂଘ । କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ବିଭିନ୍ ଡାକ୍ତରଖାନାରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ସରକାର ଓ ନର୍ସିଂ ଅଫିସରଙ୍କ ଜିଦ୍ ପାଇଁ ଏବେ ବାଜିରେ ଲାଗିଛି ରୋଗୀଙ୍କ ଜୀବନ ।
ସରକାର ଓ ନର୍ସିଂ ଅଫିସରଙ୍କ ବିବାଦ ଯୋଗୁଁ ବଳିପଡ଼ିଛି ସାଢ଼େ ୪ କୋଟି ଓଡ଼ିଆଙ୍କ ଜୀବନ । ରୋଗୀ ସେବାକୁ ତୁଚ୍ଛ କରି ନିଜ ଜିଦରେ ଅଟଳ ନର୍ସିଂ ଅଫିସର । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁରୋଧ ସତ୍ତ୍ୱେ ଆନ୍ଦୋଳନରୁ ହଟୁନାହାନ୍ତି । ଏପଟେ ଲୋକସେବା ଭବନରେ ପ୍ରଶାସନ ଓ ସବୁ ଜିଲ୍ଲାପାଳଙ୍କୁ ନେଇ ସରକାରଙ୍କ ବୈଠକରେ ଉଠିଲାନି ରାଜ୍ୟରେ ବିଗୁଡ଼ୁଥିବା ସ୍ୱାସ୍ଥ୍ୟସେବା ପ୍ରସଙ୍ଗ ।
ଏପଟେ ଆନ୍ଦୋଳନ ବନ୍ଦ କରି କାର୍ୟ୍ୟରେ ଯୋଗ ଦେବାକୁ ନର୍ସିଂ ଅଫିସରଙ୍କୁ ଅପିଲ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । କହିଛନ୍ତି, ‘ଆନ୍ଦୋଳନ ନକରି କାମକୁ ଫେରିଆସନ୍ତୁ’ । ୧୦ ଦଫା ଦାବି ନେଇ ଦୀର୍ଘଦିନ ହେବ ଆନ୍ଦୋଳନ କରୁଛନ୍ତି ନର୍ସିଂ ଅଫିସର । ଦାବି ପୂରଣ ନହେବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛି ସଂଘ ।