କନକ ବ୍ୟୁରୋ: ମହିଳା ସୁରକ୍ଷାକୁ ନେଇ ବିଧାନସଭା ହୁଲୁସ୍ତୁଲ ହୋଇଛି । ହେଲେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାମ କରୁଥିବା ମହିଳା ବିଶେଷ କରି ନର୍ସମାନଙ୍କ ସୁରକ୍ଷା ପ୍ରତି କାହାର ନଜର ନାହିଁ । ୨୪ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ପାଇଁ ରାତିରେ ବିଭିନ୍ନ ସ୍ଥାନରୁ ହସ୍ପିଟାଲକୁ ନର୍ସମାନେ ଡ୍ୟୁଟିରେ ଆସୁଛନ୍ତି । ହେଲେ, ସେମାନଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବାରୁ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । 

Advertisment

ହସ୍ପିଟାଲରେ ରୋଗୀଙ୍କ ସୁରକ୍ଷା ଯାହାଙ୍କ ଜିମା, ତାଙ୍କ ସୁରକ୍ଷା କଥା କେହି ବୁଝନ୍ତି ନାହିଁ । ରୋଗୀ ସେବା ପାଇଁ ନିଜ ସୁରକ୍ଷାକୁ ବାଜିରେ ଲଗାଇ ରାତିରେ ନର୍ସମାନଙ୍କୁ ହସ୍ପିଟାଲ ଆସିବାକୁ ପଡ଼େ । ରାତ୍ରି ଡ୍ୟୁଟିରେ ନର୍ସମାନେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତି । ବାସସ୍ଥାନରୁ ମେଡ଼ିକାଲକୁ ଆସିବା ସମୟରେ ବହୁ ଅସାମାଜିକ ବ୍ୟକ୍ତି ହଇରାଣ କରୁଥିବା ଅଭିଯୋଗ ହେଉଛି । ତେଣୁ ଭୟରେ ବହୁ ନର୍ସଙ୍କୁ ପରିବାର ଲୋକ ହସ୍ପିଟାଲ ଛାଡ଼ିବାକୁ ଆସୁଛନ୍ତି। ଆଉ ଯେଉଁମାନେ ଏକା ଅଛନ୍ତି ସେମାନେ ଭୟଭୀତ ହୋଇ ରାତିରେ ଯିବା ଆସିବା କରୁଛନ୍ତି । 

ଅଘଟଣକୁ ଅପେକ୍ଷା କରିଛନ୍ତି କି ସରକାର?
ସ୍ବାସ୍ଥ୍ୟ ସେବାରେ ନର୍ସମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଥିବାବେଳେ, ହସ୍ପିଟାଲ ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ନର୍ସମାନଙ୍କ ସୁରକ୍ଷା ପାଇଁ ନିର୍ଦ୍ଦିଷ୍ଟ ନୀତି ରହିବା ଆବଶ୍ୟକ। 
ନର୍ସଙ୍କୁ ବାସସ୍ଥାନରୁ ଆଣିବା ଓ ହସ୍ପିଟାଲରୁ ଘରେ ନେଇ ଛାଡ଼ିବା 
ଏକା ରହୁଥିବା ନର୍ସଙ୍କ ପାଇଁ ଏହି ବ୍ୟବସ୍ଥା ହେବା ଉଚିତ
ଆପତ୍ତିକାଳୀନ ସହଯୋଗ ସେବା ନିତାନ୍ତ ରହିବା ଦରକାର 

ଏନେଇ ଭୀମଭୋଇ ମେଡିକାଲ କଲେଜ ସୁପରିଟେଣ୍ଡେନକୁ ପଚରାଯିବାରୁ ବଲାଙ୍ଗୀର କଣ ସାରା ରାଜ୍ୟରେ ଏଥିପାଇଁ କୌଣସି ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି । 

ଓଡିଶାରେ ମହିଳା ସୁରକ୍ଷାକୁ ନେଇ ବିଧାନସଭା ହୁଳସ୍ତୁଲ ହେବା ସହ ରାଜଧାନୀ ରଣକ୍ଷେତ୍ର ପାଲଟିଛି । କିନ୍ତୁ ଯେଉଁମାନଙ୍କ ପାଇଁ ରୋଗୀ ସେବା ହେଉଛି ସେମାନଙ୍କ ସୁରକ୍ଷା ପ୍ରତି କାହାର ନିଘା ନାହିଁ।