କନକ ବ୍ୟୁରୋ: ହାତୀ ନଦୀ କୂଳରେ ରହିଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବାଲିଛଡା ଗାଁ । ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାପରେ ଚିରସ୍ରୋତା ହୋଇଛି ହାତୀ ନଦୀ । ପ୍ରତିବର୍ଷ ବର୍ଷା ଦିନେ ଗାଁ ଭିତରକୁ ପଶି ଆସେ ବନ୍ୟାପାଣି । ପ୍ରଭାବିତ ହୁଅନ୍ତି, ହାତୀନଦୀ କୂଳରେ ଥିବା କଲମପୁର ବ୍ଲକର ଟେମରା, ପରୁଆଗୁଡା, ମାଟିଖାଲ, ବିରିପୁର, ଜାମପଡା, ବଙ୍କାପଲା, ଖଣ୍ଡି ଡଙ୍ଗରୀଗୁଡା ଓ ସାନକୁଟୃ ଆଦି ଗ୍ରାମବାସୀ । ଆଶ୍ଚର୍ଯ୍ୟର କଥା ବନ୍ୟା ପ୍ରଭାବିତ ଅଞ୍ଚଳରେ ନିର୍ମାଣ ହୋଇଛି ଆଶ୍ରୟସ୍ଥଳୀ । ତେଣୁ ବର୍ଷା ବଢ଼ିଲେ, ଆଶ୍ରୟସ୍ଥଳୀ ପାଣି ଘେରରେ ରହିଥାଏ । ପାଣିରେ ପଶି ଆଶ୍ରୟସ୍ଥଳୀକୁ ଯିବା ଆସିବା କରନ୍ତି ଲୋକେ ।
୨୦୦୬ ବନ୍ୟା ପରେ ହାତୀ ନଦୀରେ ପଥର ବନ୍ଧ ପାଇଁ ଯୋଜନା କରିଥିଲେ ରାଜ୍ୟ ସରକାର। ତତ୍କାଳୀନ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ହେଲେ ନିମ୍ନମାନର କାମ ଯୋଗୁଁ ପଥର ବନ୍ଧ ମାମଲା ଏବେ ଅଦାଲତରେ । ବିଭାଗ ଓ ଠିକା ସଂସ୍ଥାର ଆଇନ୍ ଯୁଦ୍ଧରେ ବଳି ପଡୁଛନ୍ତି ବାଲିଛଡ଼ା ଗ୍ରାମବାସୀ । ସେପଟେ କମ ଜାଗାରେ ପଥର ବନ୍ଧ ହୋଥିବାରୁ ଧିରେଧିରେ ନଦୀ ଗର୍ଭରେ ଲୀନ ହେବାକୁ ବସିଛି ବାଲିଛଡ଼ା ଗାଁ । ବର୍ଷା ଆସିଲେ ଗ୍ରାମବାସୀଙ୍କ ଦୁଃଖ ବଢିଯାଉଛି ।