କନକବ୍ୟୁରୋ : ଭାରତରେ ଜୀବନକାଳ ଭିତରେ କର୍କଟ ରୋଗ ହେବାର ଆଶଙ୍କା ପ୍ରାୟ ୧୧ ପ୍ରତିଶତ ରହିଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ର ଏକ ନୂତନ ଅଧ୍ୟୟନ ଅନୁଯାୟୀ ମିଜୋରାମରେ ଏହି ବିପଦ ପ୍ରାୟ ଦୁଇଗୁଣ- ପୁରୁଷଙ୍କ ପାଇଁ ୨୧.୧ ପ୍ରତିଶତ ଓ ମହିଳାଙ୍କ ପାଇଁ ୧୮.୯ ପ୍ରତିଶତ । ବଡ଼ ମହାନଗରଗୁଡ଼ିକ ମଧ୍ୟରେ ଦିଲ୍ଲୀରେ ପୁରୁଷଙ୍କଠାରେ କର୍କଟ ହାର ସର୍ବାଧିକ ଥିବା ବେଳେ ଶ୍ରୀନଗରରେ ଫୁସ୍ଫୁସ୍ କର୍କଟ ରୋଗ ସର୍ବାଧିକ ରହିଛି ।
ଭାରତର ଡାକ୍ତରୀ ଗବେଷଣା ପ୍ୟାନେଲର ଏହି ଅଧ୍ୟୟନରେ ଦେଶରେ ବଢୁଥିବା କର୍କଟ ମାମଲାକୁ ନେଇ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ନ୍ୟାସନାଲ କ୍ୟାନସର ରେଜିଷ୍ଟ୍ରି ପ୍ରୋଗ୍ରାମ୍ ଇନ୍ଭେଷ୍ଟିଗେଟର୍ ଗ୍ରୁପ୍ର ନେତୃତ୍ୱ ନେଇଥିଲା, ଯେଉଁଥିରେ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍), ଟାଟା ମେମୋରିଆଲ ସେଣ୍ଟର ଓ ଡକ୍ଟର ବିଆର୍ ଆମ୍ବେଡ଼କର ଇନ୍ଷ୍ଟିଚ୍ୟୁଟ୍ ରୋଟାରୀ କ୍ୟାନସର ହସ୍ପିଟାଲ ଓ ଦିଲ୍ଲୀ ଏମ୍ସର ବୈଜ୍ଞାନିକମାନେ ସାମିଲ ଥିଲେ ଏବଂ ୪୩ଟି ଜନସଂଖ୍ୟାଭିତ୍ତିକ କର୍କଟ ପଞ୍ଜୀକରଣର ତଥ୍ୟକୁ ବ୍ୟବହାର କରି ସମଗ୍ର ଭାରତରେ ୭ ଲକ୍ଷରୁ ଅଧିକ କର୍କଟ ମାମଲା ଏବଂ ୨ ଲକ୍ଷରୁ ଅଧିକ ମୃତ୍ୟୁର ବିଶ୍ଳେଷଣ କରିଥିଲେ ।
ମିଜୋରାମରେ ଆଇଜଲ ଜିଲ୍ଲାରେ ପ୍ରତି ୧,୦୦,୦୦୦ ପୁରୁଷରେ ୨୫୬ ଏବଂ ପ୍ରତି ୧,୦୦,୦୦୦ ମହିଳାରେ ୨୧୭ ଜଣ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି । ପୁରୁଷମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ କର୍କଟ ମୁଖଗହ୍ବର, ଫୁସ୍ଫୁସ୍ ଓ ପ୍ରୋଷ୍ଟେଟ୍ କର୍କଟ ହୋଇଥିବା ବେଳେ ମହିଳାମାନଙ୍କ କ୍ଷେତ୍ରରେ ଏହା ସ୍ତନ, ଗର୍ଭାଶୟ ଗ୍ରୀବା ଓ ଡିମ୍ବାଶୟ କର୍କଟ ଥିଲା। ମୁଖଗହ୍ବର କର୍କଟରେ ଏକ ଚିନ୍ତାଜନକ ଧାରା ଦେଖିବାକୁ ମିଳିଥିଲା। ଅହମଦାବାଦରେ ମୁଖଗହ୍ବର କର୍କଟ ପୁରୁଷଙ୍କଠାରେ ୪.୭% ଓ ମହିଳାଙ୍କଠାରେ ୬.୯% ବୃଦ୍ଧି ପାଇଛି। ଜାମା ନେଟୱାର୍କ ଓପନରେ ପ୍ରକାଶିତ ଏହି ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ଦେଶର କେତେକ ସ୍ଥାନରେ ସାମଗ୍ରିକ କର୍କଟ ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି।
ଉଦାହରଣ ସ୍ୱରୂପ, କାମରୂପ ସହରାଞ୍ଚଳ (ଆସାମ)ରେ ପୁରୁଷଙ୍କଠାରେ କର୍କଟ ମାମଲା ବାର୍ଷିକ ୩.୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ତିରୁଅନନ୍ତପୁରମ୍ (କେରଳ)ରେ ମହିଳାଙ୍କ କ୍ଷେତ୍ରରେ ବାର୍ଷିକ ୩.୪ ପ୍ରତିଶତ ବୃଦ୍ଧି ଘଟିଛି। ଗବେଷକମାନେ ଆକଳନ କରିଛନ୍ତି ଯେ, କେବଳ ୨୦୨୪ରେ ଭାରତରେ ପ୍ରାୟ ୧୫,୬୨,୦୯୯ ନୂତନ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ୮,୭୪,୪୦୪ ଜଣ ଏହି ରୋଗରେ ପ୍ରାଣ ହରାଇଛନ୍ତି। ଅଧ୍ୟୟନ ଅନୁଯାୟୀ, ଭାରତରେ କର୍କଟକୁ ନିୟନ୍ତ୍ରଣ କରିବା ପାଇଁ ସଚେତନତା, ପ୍ରତିରୋଧ ଓ ଶୀଘ୍ର ଚିହ୍ନଟ ଉପରେ ଧ୍ୟାନ ଦେବା ପାଇଁ ମିଳିତ ପ୍ରୟାସ ଆବଶ୍ୟକ। ପ୍ରତିରୋଧ ସହିତ କର୍କଟ ଚିକିତ୍ସା ସୁବିଧାରେ ଉନ୍ନତି ଆଣିବା ଓ ସେବାକୁ ବିସ୍ତାର କରିବା ଜରୁରୀ, ବିଶେଷକରି ଯେଉଁ ଅଞ୍ଚଳରେ କର୍କଟ ମାମଲା ଅଧିକ ଥାଏ।