କନକ ବ୍ୟୁରୋ: ବିଶ୍ୱର ବିଭିନ୍ନ କୋଣରେ ଘମାଘୋଟ ଯୁଦ୍ଧ ଚାଲିଛି । ଏହାର ପ୍ରଭାବ ସାରା ବିଶ୍ୱରେ ପଡୁଛି । ୟା ଭିତରେ ଭାରତରେ ବି ଲୋକଙ୍କୁ ଯୁଦ୍ଧ ଭୟ ଘାରିଲାଣି ।  ସ୍ଥିତି ଏମିତି ହୋଇଗଲାଣି ଯେ ଦିଲ୍ଲୀରେ ଏବେ ନ୍ୟୁକ୍ଲିୟର ବଙ୍କର ବିକ୍ରି ହେଉଛି । ଆଉ ଲୋକ କୋଟି କୋଟି ଟଙ୍କା ଦେଇ ନ୍ୟୁକ୍ଲିୟର ବଙ୍କର ବୁକ୍ କରୁଛନ୍ତି । 

Advertisment

ଦିଲ୍ଲୀ ଏନସିଆରରେ ଅନେକ କମ୍ପାନୀ ଅଣ୍ଡରଗ୍ରାଉଣ୍ଡ ନ୍ୟୁକ୍ଲିୟର ବଙ୍କର ବିକ୍ରି କରୁଛନ୍ତି । ଯାହାକୁ ସିବିଆରଏନ କୁହାଯାଉଛି । ସିବିଆରଏନ ଅର୍ଥାତ୍ କେମିକାଲ, ବାୟୋଲୋଜିକାଲ, ରେଡିଓଲୋଜିକାଲ ଆଣ୍ଡ୍ ନ୍ୟୁକ୍ଲିୟର ବଙ୍କର । ଦିଲ୍ଲୀରେ ରିଅଲ ଇଷ୍ଟେଟର ଏଭଳି ପ୍ରକଳ୍ପ ଆସିଲାଣି , ଯେଉଁଥିରେ ଘରେ ତଳେ ମାଟି ଭିତରେ ସୁରକ୍ଷିତ ବଙ୍କର ତିଆରି କରାଯାଉଛି । ଆଉ ଏହାର ଦାମ ୨କୋଟିରୁ ଆରମ୍ଭ ହୋଇ ୧୦ କୋଟି ଟଙ୍କା ଯାଏଁ ରହିଛି । ବଙ୍କରରେ ଯେତେ ସୁବିଧା ରହିବ ତାର ଦାମ୍ ମଧ୍ୟ ସେତେ ବଢିଯିବ । ଆଉ ଗ୍ୟାରେଣ୍ଟି ହେଲା ଯୁଦ୍ଧ ଯୋଗୁଁ, ଆପଣଙ୍କ ସହର ଧ୍ୱଂସ ହୋଇଗଲେ ମଧ୍ୟ ୩ଶହ ଦିନରୁ ୩ ବର୍ଷ ଯାଏଁ ଆପଣଙ୍କୁ ନ୍ୟୁକ୍ଲିୟର ବଙ୍କର ସୁରକ୍ଷିତ ରଖିବ । 

ନ୍ୟୁକ୍ଲିୟର ବଙ୍କର ଦୁଇ ପ୍ରକାର ମିଳୁଛି । ଗୋଟିଏ ପୂର୍ବରୁ ପ୍ରସ୍ତୁତ ନ୍ୟୁକ୍ଲିୟର ବଙ୍କର, ତାକୁ କେବଳ ମାଟି ତଳେ ଫିଟ କରାଯିବ ଓ ଅନ୍ୟଟି ହେଲା ଘର ତଳେ ତିଆରି କରାଯିବ ।  ପ୍ରିମିୟମ କ୍ୱାଲିଟିର ସେଲଟରରେ ଆଲିସାନ ବଙ୍ଗଳା ରହିବ । ୩ ହଜାର ସ୍କୋୟାର ଫିଟର ବଙ୍କରରେ ୧୫ରୁ ଅଧିକ ଲୋକ ରହିପାରିବେ । ସେଥିରେ ଖାଦ୍ୟ ପାନୀୟ ପାଖାପାଖି ୩ ବର୍ଷ ଯାଏଁ ରହିବ । ବଙ୍କର ଭିତରେ ହାଇଡ୍ରୋପୋନିକ କଠୋରୀ ରହିବ, ଯେଉଁଥିରେ ମାଟି ବଦଳରେ ପାଣିରେ ପନିପରିବା ଉତ୍ପାଦନ କରାଯାଇପାରିବ।