କନକ ବ୍ୟୁରୋ : ବନ ବିଭାଗ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ବନ ବିଭାଗ କର୍ମଚାରୀ ଓ ଅଧିକାରୀ ଅକଥନୀୟ ନିର୍ୟାତନା ଦେଇଥିବା ଅଭିଯୋଗ କଲେ ଆଦିବାସୀ । ବାଘ ଶିକାର କରିନଥିଲେ ବି ମିଛ ମାମଲାରେ ଫସାଇଦେଇଥିବା ହୋଇଛି ଅଭିଯୋଗ ।

Advertisment

ଘଟଣାଟି ଘଟିଛି ନୂଆପଡା ଜିଲ୍ଲାର । ଖଡିଆଲ ଥାନା ଅନ୍ତର୍ଗତ ଦାବ୍ରି ଗାଁର ୫ ଜଣ ଆଦିବାସୀ ଜେଲରୁ ମୁକୁଳିବା ପରେ ଖୋଲିଛନ୍ତି ବନ ବିଭାଗ କର୍ମଚାରୀଙ୍କର ଅସଲ ମୁଖା । ଆଦିବାସୀଙ୍କ ଅଭିଯୋଗ ହେଲା, ଉଲଗ୍ନ କରି ମାଡ ମାରିଲେ ମୋବାଇଲରେ ଫଟୋ ବି ଉଠାଇଲେ । ଫଟୋ ଭାଇରାଲ କରିବାକୁ ଧମକ ବି ଦେଲେ । ଇଲେକଟ୍ରିକ ସକ ବା କରେଣ୍ଟ ବି ଦେଲେ । ୬୫ ବର୍ଷୀୟ ଜଣ ବୃଦ୍ଧଙ୍କୁ ବି ଛାଡିଲେନି ।  ବାଘ ମାରିଥିବା ନେଇ ସ୍ବୀକାର ନକଲେ ସବୁଦିନ ପାଇଁ ଜେଲରେ ରହିବାକୁ ପଡ଼ିବ ବୋଲି ଧମକ ବି ଦେଲେ । ଛୁରୀ ମୂନରେ ଧମକ ଦେଇଚାଲିଥିଲେ ।

ଏହି ବନଖଣ୍ଡରେ ବାଘ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିବା ପରେ ଜୋରଦାର ଚଢାଉ ହୋଇଥିଲା । ବନବିଭାଗର ପ୍ରାୟ ୨୦ରୁ ୨୫ କର୍ମଚାରୀ ଦାବରୀ ଗାଁରେ ଚଢାଉ କରି ୫ ଜଣଙ୍କୁ ଗିରଫ କରିଥିଲେ । ଗିରଫ ସମୟରେ କଲରାପତିଆ ବାଘ ଛାଲ, ହାଡ, ଧନୂ ତୀର, ବାରୁଦ ଗୁଣ୍ଡ , ଦେଶୀ ବନ୍ଧୁକ ଭଳି କିଛି ସାମଗ୍ରୀ ମିଳିଥିଲା ବନ ବିଭାଗ ଅଧିକାରୀ କହିଛନ୍ତି । କିନ୍ତୁ ଗିରଫ ପରେ ସେମାନଙ୍କୁ ନିର୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଛି । କିନ୍ତୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି  ଏସିଏଫ ।

 ଏବେ ପ୍ରଶ୍ନ ଉଠୁଛି କିଏ କହୁଛି ସତ । ବନ ବିଭାଗ ନା ଏହି ୫ ଆଦିବାସୀ । ନ୍ୟାୟ ଭିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, ପୁଲିସ ମହାନିର୍ଦ୍ଦେଶକଙ୍କୁ ଜଣାଇବା ପରେ ଖଡ଼ିଆଳ ଥାନାରେ ଏତଲା ଦିଆଯାଇଛି ।