କନକ ବ୍ୟୁରୋ: ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରବ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ହୃଦଘାତର ଶିକାର ହେବାପରେ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା । ପୁଅ ଜୟ ଢୋଲକିଆ ବିଜେଡି ବିଧାୟକଙ୍କ ମୃତ୍ୟୁ ଖବର ସେୟାର କରିଛନ୍ତି । ନୂଆପଡ଼ା ବିଧାନସଭା ଆସନରୁ ୪ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ରାଜେନ୍ଦ୍ର ଢୋଲକିଆ ।

Advertisment

ବିଜେଡି ବିଧାୟକଙ୍କ ଦେହାନ୍ତ ଖବର ଶୁଣି ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ ଏକ୍ସରେ ପୋଷ୍ଟ ସେୟାର କରି କହିଛନ୍ତି, "ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ । ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି । ଓଁ ଶାନ୍ତି" 

ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତକୁ ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, "ବିଜୁ ଜନତା ଦଳର ବରିଷ୍ଠ ରାଜନେତା, ନୂଆପଡ଼ାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଗଭୀର ଦୁଃଖିତ। ଦଳର ସଙ୍ଗଠନକୁ ମଜଭୁତ କରିବା ସହ ଲୋକଙ୍କ ହକ୍ ପାଇଁ ସ୍ୱର ଉଠାଇବାରେ ସେ ସବୁବେଳେ ଆଗରେ ଥିଲେ। ତାଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି। ଜନସେବାରେ ତାଙ୍କର କାର୍ଯ୍ୟ ସବୁବେଳେ ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ।" 

ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି । ସେ ମଧ୍ୟ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ ସେୟାର କରି କହିଛନ୍ତି, "ଦୀର୍ଘ ଧରି ଅସୁସ୍ଥ ରହିବା ପରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ପରିବାର ଓ ପରିଜନ ପ୍ରତି ସମବେଦନା ଜଣାଉଛି ।"