କନକ ବ୍ୟୁରୋ: ପ୍ରଥମେ ସ୍ୱାଧୀନ ବିଧାୟକ, ଆଉ ତା ପରେ ପରେ ବିଜେଡି ଟିକେଟରୁ ତିନି ତିନି ଥର ବିଧାୟକ । ନିଜର ରାଜନୈତିକ କ୍ୟାରିୟରରେ ରାଜେନ୍ଦ୍ର ଢୋଲକିଆ ମୋଟ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ । ଆଉ ଗତ ସାଧାରଣ ନିର୍ବାଚନରେ ମଧ୍ୟ ନୂଆପଡ଼ାର ଲୋକମାନେ ପୁଣି ତାଙ୍କ ଉପରେ ଭରସା କରିଥିଲେ । ବିଜେପିର ହାଓ୍ୱା ଭିତରେ ଢୋଲକିଆ ହାରିନଥିଲେ, ବରଂ ନୂଆପଡ଼ାକୁ ଜିତି ପୁଣିଥରେ ବିଧାନସଭାକୁ ଆସିଥିଲେ । ହେଲେ ଏ ନୂଆପଡ଼ାର ନେତା ଆଉ ଆମ ଗହଣରେ ନାହାନ୍ତି । ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଯାଇଛନ୍ତି ନୂଆପଡ଼ାର ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆ ।

Advertisment

ନୂଆପଡ଼ା ରାଜନୀତିରେ ସବୁଠୁ ପରିଚିତ ଚେହେରା ଥିଲେ ରାଜେନ୍ଦ୍ର ଢୋଲକିଆ । ଏହି ଆସନରୁ ସେ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପ୍ରଥମେ ୨୦୦୪ ମସିହାରେ ସ୍ୱାଧୀନ ବିଧାୟକ ଭାବେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଆଉ ପରେ ପରେ ବିଜେଡି ଟିକେଟରୁ ନିର୍ବାଚିତ ହୋଇଆସୁଥିଲେ । ୨୦୦୪ରେ ସ୍ୱାଧୀନ ଆଉ ୨୦୦୯ରେ ବିଜେଡି ଟିକେଟରୁ ସେ ବିଧାନସଭାକୁ ଆସିଥିଲେ । ହେଲେ ୨୦୧୪ରେ କିନ୍ତୁ ତାଙ୍କୁ ପରାଜୟ ଦେଖିବାକୁ ମିଳିଥିଲା । ସେତେବେଳେ ବସନ୍ତ କୁମାର ପଣ୍ଡା ତାଙ୍କୁ ହରାଇ ବିଧାନସଭାକୁ ଆସିଥିଲେ । ହେଲେ ୨୦୧୯ ଆଉ ୨୦୨୪ରେ କିନ୍ତୁ ରାଜେନ୍ଦ୍ର ଢୋଲକିଆ ପୁଣି ଲୋକଙ୍କ ମନ ଜିଣିବା ସହ ବିଶ୍ୱାସ ଜିତି ବିଧାନସଭାକୁ ଆସିଥିଲେ । ହେଲେ ତାଙ୍କର ଏ କାର୍ଯ୍ୟକାଳ କିନ୍ତୁ ଅଧାରେ ରହିଯାଇଛି । ସମସ୍ତଙ୍କ ଆଖିରେ ଲୁହ ଆଣି ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ତେବେ ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ହେଇଥିଲା । 

ତେବେ ବିଜେଡି ବିଧାୟକଙ୍କ ଦେହାନ୍ତ ଖବର ଶୁଣି ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ ଏକ୍ସରେ ପୋଷ୍ଟ ସେୟାର କରି କହିଛନ୍ତି, "ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ । ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି । " 

ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ନେଇ ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, "ବିଜୁ ଜନତା ଦଳର ବରିଷ୍ଠ ରାଜନେତା, ନୂଆପଡ଼ାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଗଭୀର ଦୁଃଖିତ। ଦଳର ସଙ୍ଗଠନକୁ ମଜଭୁତ କରିବା ସହ ଲୋକଙ୍କ ହକ୍ ପାଇଁ ସ୍ୱର ଉଠାଇବାରେ ସେ ସବୁବେଳେ ଆଗରେ ଥିଲେ। ତାଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି। ଜନସେବାରେ ତାଙ୍କର କାର୍ଯ୍ୟ ସବୁବେଳେ ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ।"