କନକ ବ୍ୟୁରୋ : ନୂଆପଡା ବାଜି ଜିତିବାକୁ କମର କସିଛନ୍ତି ୩ ଦଳ । ଆଉ ମୁଖ୍ୟମନ୍ତ୍ରୀଙ୍କ ସହ ପୂରା ଦଳବଳ ନେଇ ୧୬ ତାରିଖରେ ପାୱାର ସୋ କରିବ ବିଜେପି । ବିଜେଡିର ପ୍ରାର୍ଥୀ ଖୋଜା ଅଭିଯାନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କଂଗ୍ରେସ ପ୍ରଚାର ଆରମ୍ଭ କରି ନୂଆପଡା ରେସରେ ଆଗରେ ରହିଛି।
ଆସନ୍ତାକାଲି ଭିତରେ ବିଜେପି ଓ ବିଜେଡି ବିଧିବଦ୍ଧ ଭାବେ ପ୍ରାର୍ଥୀଙ୍କ ନାଁରେ ମୋହର ମାରିବେ । ତେବେ ଏହାପୂର୍ବରୁ ଆସନ୍ତା ୧୬ ତାରିଖରେ ବିଜେପି ନୂଆପଡାରେ ନାମାଙ୍କନ ସହ ବିଶାଳ ସମାବେଶ ଓ ରୋଡ ସୋ ଜରିଆରେ ଶକ୍ତି ପ୍ରଦର୍ଶନ କରିବ । ଯାହାର ମୋର୍ଚ୍ଚା ସମ୍ଭାଳିବେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏସବୁ ଭିତରେ ଦଳୀୟ ସାଂସଦ କହିଛନ୍ତି, ଜୟଙ୍କୁ ପ୍ରାର୍ଥୀ କରିବା ନିଷ୍ପତ୍ତି ସରିଛି । ନୂଆପଡ଼ାରେ ୫୦ ହଜାର ଅଧିକ ଭୋଟରେ ଜିତିବ ବିଜେପି ।
ନୂଆପଡାରୁ ନବୀନ ନିବାସ। ଦଳୀୟ ପ୍ରାର୍ଥୀ ବାଛିବାକୁ ଜୋରଦାର କସରତ କରୁଛନ୍ତି ବିଜେଡିର ଶୀର୍ଷ ନେତୃତ୍ବ । ରିପୋର୍ଟ ଆଧାରରେ ମନୋଜ ମିଶ୍ର ଓ ତାରେଶ୍ବରୀ ସାହୁଙ୍କ ମଧ୍ୟରୁ ଜଣଙ୍କ ନାଁରେ ମୋହର ମାରିବେ ନବୀନ । କୁହାଯାଉଛି ଘାସିରାମ ମାଝୀ ଓ ଜୟ ଢୋଲକିଆ ନୂଆପଡାର ହୋଇଥିବାରୁ କୋମନା କାର୍ଡ ଖେଳିବ ଦଳ । ଅନ୍ୟପଟେ ନୂଆପଡାରେ ମିଶ୍ରଣ ପର୍ବ କରି କଂଗ୍ରେସର ହାତକୁ ମଜବୁତ କରୁଛନ୍ତି ଭକ୍ତ । ଘରକୁ ଘର ବୁଲି ଘାସିରାମ ପ୍ରଚାର କରିବା ସହ କଂଗ୍ରେସ ପାଇଁ ଭୋଟ ମାଗିଛନ୍ତି ।
ପିସିସି ମୁଖିଆ ନୂଆପଡାରେ କ୍ୟାମ୍ପ ପକାଇଛନ୍ତି। ମୋହନ-ମନମୋହନ ଯୋଡି ଖୁବଶୀଘ୍ର ପ୍ରଚାର ମୈଦାନକୁ ଓହ୍ଲାଇବେ । ହେଲେ ବିଜେଡି ସୁପ୍ରିମୋ ମୈଦାନକୁ ଓହ୍ଲାଇବେ ନା ଆଭାସୀରେ ଅଟକିଯିବେ ତାହା ଦେଖିବା ବାକି ରହିଲା ।