କନକ ବ୍ୟୁରୋ : ନୂଆପଡ଼ା ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଏଥିସହିତ ଆଜିଠୁ ନାମାଙ୍କନ କରିପାରିବେ ପ୍ରାର୍ଥୀ । ତେବେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ନୂଆପଡ଼ା ଉପ ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ କରିପାରିବେ । ଏହାପରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ । ନିର୍ବାଚନ କମିସନଙ୍କ ଘୋଷଣା ମୁତାବକ, ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ ଆଉ ୧୪ ତାରିଖରେ ଫଳାଫଳ ପ୍ରକାଶ ପାଇବ । ତେବେ ଏ ସବୁ ପ୍ରକ୍ରିୟା ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
#ନୂଆପଡ଼ା_ଉପନିର୍ବାଚନ_ପାଇଁ_ପ୍ରକାଶ_ପାଇଲା_ବିଜ୍ଞପ୍ତି
— Kanak News (@kanak_news) October 13, 2025
ନୂଆପଡ଼ା ଉପ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ବିଜ୍ଞପ୍ତି ପରେ ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା । ୨୦ ତାରିଖରେ ଶେଷ ହେବ ନାମାଙ୍କନ ଦାଖଲ । ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ।#NuapadaByElection… pic.twitter.com/JaypyDkqur
ଜାଣିରଖିବା ଉଚିତ ଯେ, ନୂଆପଡ଼ାର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଏଠାରେ ଉପ ନିର୍ବାଚନ କରାଯାଉଛି । ଯାହାକି ଏବେ ତିନି ପ୍ରମୁଖ ଦଳ ପାଇଁ ସାଜିଛି ଏସିଡ୍ ଟେଷ୍ଟ । ବିଜେଡି, ବିଜେପି ଓ କଂଗ୍ରେସ ତିନୋଟି ଯାକ ଦଳ ଉପ-ନିର୍ବାଚନରେ ବାଜିମାତ୍ କରିବାକୁ ଅଙ୍କ କଷିବା ଆରମ୍ଭ କରିଦେଇଛନ୍ତି ।
/filters:format(webp)/kanak/media/media_files/2025/10/07/ghasiram-majhi-2025-10-07-20-29-54.jpg)
କଂଗ୍ରେସ ଯୋଦ୍ଧା ଘାସିରାମ
ନୂଆପଡ଼ା ଉପନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିସାରିଛି କଂଗ୍ରେସ । ଘାସିରାମ ମାଝୀ ଦଳର ପ୍ରାର୍ଥୀ ହୋଇଛନ୍ତି । ତେବେ ଏବେ ବି ବିଜେପି ଓ ବିଜେଡିର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରାଯାଇଛି । ଜାଣିରଖିବା ଉଚିତ ଯେ, ଘାସିରାମ ମାଝୀଙ୍କୁ ୨୦୨୪ ନିର୍ବାଚନରେ କଂଗ୍ରେସରୁ ଟିକେଟ ନ ମିଳିବାରୁ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ, କିନ୍ତୁ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କଠାରୁ ହାରିଯାଇଥିଲେ । ସେ ୫୦ହଜାରରୁ ଅଧିକ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ । ଏବେ କିଛି ଦିନ ପୂର୍ବରୁ ସେ କଂଗ୍ରେସରେ ସାମିଲ ହୋଇଥିଲେ । ଆଉ ଏହାପରେ କଂଗ୍ରେସ ତାଙ୍କୁ ପ୍ରାର୍ଥୀ ଘୋଷଣା କରିଛି ।
ବିଜେପି ଦେବେ ଜୟଙ୍କୁ ଟିକେଟ୍!
ବିଜେଡିରେ ବଡ଼ ଧରଣ ରାଜନୈତିକ ପଟ୍ଟ ପରିବର୍ତ୍ତନ ସହ ବିଜେଡିକୁ ବାଏ ବାଏ କହି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପି ଶିବିରରେ ସାମିଲ ହୋଇଛନ୍ତି । ଦୀର୍ଘ ଦିନ ହେଲା ସେ ବିଜେଡି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଇ ଆସୁଥିଲା । ହେଲେ ଶନିବାର ଦିନ ସେ ବିଜେଡିକୁ ବାଏ ବାଏ କହିବା ସହିତ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି । ଆଉ ଜୟ ଢୋଲକିଆ ବିଜେପିର ଉପ-ନିର୍ବାଚନ ପ୍ରାର୍ଥୀ ହେବା ଏକପ୍ରକାର ପକ୍କା । ତାଙ୍କୁ ଟିକେଟ୍ ଦେଇ ବିଜେପି ଏଥର ଅନୁକମ୍ପା ଭୋଟକୁ ନିଜ ସପକ୍ଷରେ ନେବାକୁ ଅଙ୍କ କଷୁଛି ।
/filters:format(webp)/kanak/media/media_files/2025/06/28/naveen-2025-06-28-13-27-29.jpg)
ବିଜେଡି ପ୍ରାର୍ଥୀ କିଏ?
ଏ ସବୁ ଭିତରେ ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ନୂଆପଡ଼ାରେ ବିଜେଡିର ପ୍ରାର୍ଥୀ କିଏ ହେବ? ରେସରେ ଏବେ ବି ଅନେକ ନେତା ଅଛନ୍ତି, ହେଲେ ବିଜେଡି ସୁପ୍ରିମୋ କାହାକୁ ଭରସା କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର । ଏହା ପୂର୍ବରୁ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେଡି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଇ ଆସୁଥିଲା । ହେଲେ ଶେଷ ମୁହୂର୍ତ୍ତରେ କିନ୍ତୁ ସେ ବିଜେପିରେ ସାମିଲ ହୋଇଛନ୍ତି । ତେଣୁ ଜୟଙ୍କ ପରେ ଏବେ ବିଜେଡି ସେଠାରେ କାହାକୁ ଟିକେଟ୍ ଦେଉଛି ତାହା ଉପରେ ସମସ୍ତଙ୍କର ନଜର ।