କନକ ବ୍ୟୁରୋ: ନୂଆପଡ଼ା ଉପ-ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ଉପସ୍ଥିତିରେ ଘାସିରାମ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ନୂଆପଡ଼ାରେ ଏଥର ଘାସିରାମଙ୍କୁ ପ୍ରାର୍ଥୀ କରି ଉପ-ନିର୍ବାଚନ ବୈତରଣୀ ପାର୍ ହେବାକୁ ଅଙ୍କ କଷୁଛି କଂଗ୍ରେସ । ଆଉ ଏହାରି ଭିତରେ ଘାସିରାମ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ଉପ-ନିର୍ବାଚନ ପାଇଁ ଏବେ କଂଗ୍ରେସ ଆଉ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । କଂଗ୍ରେସ ନିଜର ପୁରୁଖା ନେତା ଘାସିରାମଙ୍କୁ ପ୍ରାର୍ଥୀ କରିଥିବାବେଳେ, ବିଜେପି ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପଟେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ଏବେ ବି ବିଚାରବିମର୍ଶ ଲାଗି ରହିଛି । ଆଜି ଆଶାୟୀ ପ୍ରାର୍ଥୀଙ୍କୁ ନବୀନ ନିବାସକୁ ଡକରା ହୋଇଥିବାବେଳେ, ସେଠାରେ ବିଜେଡି ନେତାଙ୍କ ସହ ଆଳୋଚନା ଚାଲିଛି । କୁହାଯାଉଛି ଆଜି ସନ୍ଧ୍ୟା ସୁଦ୍ଧା ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିପାରେ ।
ଜାଣିରଖିବା ଉଚିତ ଯେ, ନୂଆପଡ଼ାର ବିଜେଡି ବିଧାୟକ ଥିବା ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ସେଠାରେ ଉପ-ନିର୍ବାଚନ କରାଯାଉଛି । ଯାହାକି ଏବେ ତିନି ଦଳ ପାଇଁ ଏସିଡ୍ ଟେଷ୍ଟ । ଗୋଟିଏ ପଟେ ବିଜେଡି ନିଜର ଗଡ଼ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ, ଅନ୍ୟପଟେ ବିଜେପି ଶାସକ ଦଳ ହିସାବରେ ନୂଆପଡ଼ା ଜିତିବାକୁ ଅଙ୍କ କଷୁଛି । ସେହିପରି କଂଗ୍ରେସ ମଧ୍ୟ ଘାସିରାମଙ୍କୁ ପ୍ରାର୍ଥୀ କରି ନୂଆପଡ଼ାକୁ ନୂଆ ସମ୍ଭାବନା ଭାବେ ଦେଖୁଛି । ତେଣୁ ଏବେ ଦେଖିବାକୁ ବାକି ରହିଲା, ନୂଆପଡ଼ାର ଭୋଟର କାହା ସମର୍ଥନରେ ଅଧିକ ଭୋଟ୍ ଦେଉଛନ୍ତି ।