କନକ ବ୍ୟୁରୋ: ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଉପ-ନିର୍ବାଚନ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କାରଣ ନୂଆପଡ଼ାର ଫଳାଫଳ ଓଡ଼ିଶାବାସୀଙ୍କ ମୁଡକୁ ସାମ୍ନାକୁ ଆଣିବ । ନୂଆ ସରକାରର ପୂର୍ବଭଳି ଲୋକପ୍ରିୟତା ରହିଛି ନା ବିରୋଧୀ ଏହା ଭିତରେ ଲୋକଙ୍କ ଭରସା ଜିତିଲେଣି ତାହାର ପ୍ରମାଣ ଦେବ ନୂଆପଡ଼ା ଉପ-ନିର୍ବାଚନ ।
- ନୂଆପଡ଼ାରେ ହେବ ଉପ-ନିର୍ବାଚନ
- ୩ ଦଳ ପାଇଁ ଅଗ୍ନିପରୀକ୍ଷା
୨୦୨୪ ନିର୍ବାଚନ ପରେ ପ୍ରଥମ ଉପନିର୍ବାଚନ ଦେଖିବ ଓଡ଼ିଶା । ଏହି ନିର୍ବାଚନ ଫଳାଫଳ ସରକାର ଭାଙ୍ଗିବନି କି ଗଢ଼ିବନି । ହେଲେ ୩ ରାଜନୈତିକ ଦଳର ଲୋକପ୍ରିୟତାର ଏସିଡ୍ ଟେଷ୍ଟର ପ୍ରମାଣ ଦେବ ଉପ-ନିର୍ବାଚନ । ଗୋଟିଏ ପଟେ ଲୋକଙ୍କ ସରକାର ଦେବେ ଲୋକପ୍ରିୟତାର ପରୀକ୍ଷା । ଅନ୍ୟପଟେ ବିନା କ୍ଷମତାରେ ଦୀର୍ଘ ୨୫ ବର୍ଷ ପରେ ଉପ-ନିର୍ବାଚନର ସାମ୍ନା କରିବ ବିଜେଡି । ନୂଆପଡ଼ା ଉପ-ନିର୍ବାଚନ ହିଁ କହିବ ନବୀନଙ୍କ ଲୋକପ୍ରିୟତା କମିଛି ନା କାଏମ ଅଛି । କଂଗ୍ରେସ ମଙ୍ଗୁଆଳଙ୍କ ହୋମଗ୍ରାଉଣ୍ଡ ହୋଇଥିବାରୁ ଭକ୍ତଙ୍କ ପାଇଁ ନୂଆପଡ଼ା ଉପ-ନିର୍ବାଚନ ପାଲଟିବ ସମ୍ମାନର ଲଢ଼େଇ । ଏସବୁ ଭିତରେ ଜନ୍ମମାଟିରେ ଦିବଙ୍ଗତ ବିଧାୟକଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବିଭିନ୍ନ ଦଳର ନେତା ।
ନୂଆପଡ଼ା ରାଜନୀତିରେ ଦୀର୍ଘ ୨୫ ବର୍ଷ ହେବ ବିଜେଡି-ବିଜେପି ମଧ୍ୟରେ ସାପଶିଡ଼ି ଖେଳ ଲାଗି ରହିଛି । ଗତ ୬ଟି ନିର୍ବାଚନରୁ ୩ ଥର ବିଜେଡି, ୨ ଥର ବିଜେପି ଓ ଥରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
୨୦୨୪ ନିର୍ବାଚନ
- ବିଜେଡି ପ୍ରାର୍ଥୀ : ରାଜେନ୍ଦ୍ର ଢୋଲକିଆ, ୬୧୮୨୨ ଭୋଟ୍
- ସ୍ବାଧୀନ ପ୍ରାର୍ଥୀ : ଘାସିରାମ ମାଝୀ, ୫୦୯୪୧ ଭୋଟ୍
- ବିଜେପି ପ୍ରାର୍ଥୀ : ଅଭିନନ୍ଦନ ପଣ୍ଡା, ୪୪୮୧୪ ଭୋଟ୍
- କଂଗ୍ରେସ ପ୍ରାର୍ଥୀ : ଶରତ ପଟ୍ଟନାୟକ, ୧୫୫୦୧ ଭୋଟ୍
୨୦୨୪ର ନିର୍ବାଚନରେ ୧୦ ହଜାର ୮୮୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ରାଜେନ୍ଦ୍ର । ସ୍ବାଧୀନ ପ୍ରାର୍ଥୀ ହିଁ ନୂଆପଡା ନିର୍ବାଚନର ଗଣିତକୁ ଓଲଟପାଲଟ କରିଥିଲେ । ଏବେ ରାଜେନ୍ଦ୍ରଙ୍କ ବିୟୋଗ ପରେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ନୂଆପଡା ଉପ-ନିର୍ବାଚନ ହିଁ ଓଡ଼ିଶା ରାଜନୀତିକୁ ନୂଆ ଦିଶାରେ ଆଗକୁ ନେବ । ଶାସକ-ବିରୋଧୀ କାହା ସପକ୍ଷରେ ଏବେ ବହୁଛି ହାୱା, ତାହାର ସଙ୍କେତ ଦେବ ନୂଆପଡ଼ା ଉପ-ନିର୍ବାଚନ ।