କନକ ବ୍ୟୁରୋ: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଦାଦନ ଋତୁରେ ଅନେକ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଚାଳାଣ ହୋଇଥାନ୍ତି । ଦାଦନ ଶ୍ରମିକ ସାଜିଥିବା ଲୋକ କହିଛନ୍ତି ସେମାନଙ୍କ ଜୀବନ କାହାଣୀ । କେବେ, କେମିତି ଓ କାହିଁକି ଭିଟାମାଟି ଛାଡ଼ିବାକୁ ପଡ଼େ । କିଏ ନେଇଯାଏ ସେମାନଙ୍କୁ । ଦାଦନ ଶ୍ରମିକଙ୍କ ସହ କେମିତି ମୁଲଚାଲ କରିଥାନ୍ତି ଦାଦନ ସର୍ଦ୍ଦାର । ଏସବୁ ଜାଣିବା ପାଇଁ କଣ୍ଟାବାଞ୍ଜିରେ ପଞ୍ଚିଥିଲେ ଆମ ପ୍ରତିନିଧି ।  

Advertisment

ନୂଆଖାଇ ସରିଲା: ଦାଦନ ୠତୁ ଆସିଲା
ଗାଁ ଛାଡ଼ିବାକୁ ଦାଦନ ଶ୍ରମିକଙ୍କ ପ୍ରସ୍ତୁତି 
ଦାଦନ ଶ୍ରମିକ କହିଲେ ଦାଦନ କାହାଣୀ
କାମଧନ୍ଦା ନପାଇ ରାଜ୍ୟ ବାହାରକୁ ଯାଇଥାନ୍ତି ହଜାରହଜାର ଶ୍ରମିକ!

କଣ୍ଟାବାଞ୍ଜି ସହର ତଥା ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକର ହାଜର ହଜାର ଦାଦନ ଶ୍ରମିକ ରାଜ୍ୟ ବାହରକୁ ଚାଳାଣ ହୁଅନ୍ତି। ପେଟପାଟଣା ପାଇଁ ଭିଟାମାଟି ଛାଡ଼ିଥାନ୍ତି। କିଏ ପିଲାଛୁଆଙ୍କ ସହ ଯାଇଥାନ୍ତି? ଆଉ କିଏ ପରିବାରକୁ ଗାଁରେ ଛାଡ଼ି ଏକା ଯାଆନ୍ତି ଦାନା ଖୋଜିବାକୁ। ଆଉ ସେଠାରେ କେତେ କଷ୍ଟ ପାଇଥାନ୍ତି, କେଉଁଭଳି ଭାବେ ଜୀବନ କାଟନ୍ତି। କନକ ନ୍ୟୁଜରେ ମନର କଥା ଆଉ ବ୍ୟଥା ବଖାଣିଛନ୍ତି ତୁରେକେଲା ଅଂଚଳର କିଛି ଦାଦନ ଶ୍ରମିକ ।

ନୂଆଁଖାଇ ପୂର୍ବରୁ ବଇନା ଦେଇ ଶ୍ରମିକଙ୍କ ଶ୍ରମକୁ କିଣି ନିଅନ୍ତି ଦାଦନ ସର୍ଦାର। ପିଲାଛୁଆଙ୍କ ଭୋକ ମେଣ୍ଟାଇବା ପାଇଁ ଦାଦନ ଦଲାଲଙ୍କ ପାଖରେ ନିଜକୁ ଏକପ୍ରକାର ବିକି ଦିଅନ୍ତି ଶ୍ରମିକ। ପର୍ବ ପାଳିବା ପରେ କଂଟାବାଞ୍ଜି, ତୁରେକେଲା ଓ ଲାଠୋର ଷ୍ଟେସନ୍‌ରୁ ଟ୍ରେନ୍‌ ଚଢ଼ନ୍ତି। ଆଉ ପର ରାଇଜରେ ପହଞ୍ଚିବା ପରେ ସରିଯାଏ ସ୍ୱାଧିନତା। ଆରମ୍ଭ ହୁଏ ନିର୍ଯାତନା। ଦିନକୁ ୧୮ ଘଣ୍ଟା ଖଟିବାକୁ ବାଧ୍ୟ କରାଯାଏ। ଆଗୁଆ ଟଙ୍କା ନେଇଥିବାରୁ ଜୀବନକୁ ବାଜି ଲଗାଇ ଇଟାଭାଟିରେ କାମ କରିବାକୁ ପଡ଼େ। 

ଘର ପାଖରେ କାମଧନ୍ଦା ମିଳୁନଥିବାରୁ ଗାଁ ଛାଡ଼ିବାକୁ ବାଧ୍ୟ ବୋଲି କୁହନ୍ତି ଦାଦନ ଖଟୁଥିବା ଶ୍ରମିକ। ସରକାର ଯଦି କାମ ଯୋଗଇ ଦେବେ ତେବେ ଦାଦନ ସର୍ଦ୍ଦାରଙ୍କ କବଳରୁ ମୁକୁଳି ପରିବାର ପାଖରେ ରହି ସେମାନଙ୍କ ଭବିଷ୍ୟତ ଗଢ଼ିପାରନ୍ତେ ଦାଦନ ଶ୍ରମିକ।