କନକ ବ୍ୟୁରୋ: ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା । ଗାଁଠୁ ସହର ସବୁଆଡେ ଉତ୍ସବର ପରିବେଶ । ଅଧିଷ୍ଠାତ୍ରୀ ଦେବୀଙ୍କ ନିକଟରେ ନବାନ୍ନ ଲାଗି ପରେ ସମସ୍ତେ ଏକାଠି ବସି ଖାଇଛନ୍ତି ନବାନ୍ନ । ବିଧାୟକ, ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ସମସ୍ତେ ନବାନ୍ନ ଖାଇ ପାଳିଛନ୍ତି ନୂଆଖାଇ । 

Advertisment

କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଉଠୁଛି ପଡ଼ୁଛି ପୂରା ପଶ୍ଚିମ ଓଡ଼ିଶା । ଗାଁରୁ ସହର ସବୁଆଡ଼େ ଉତ୍ସବମୁଖର ପରିବେଶ । ଘରେ ଘରେ ଜମିଛି ପିଠାପଣା ଓ ସ୍ୱାଦିଷ୍ଟ ବ୍ୟଞ୍ଜନର ଆସର । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଦିନ ୧୦ଟା ୩୩ରୁ ୧୦ଟା ୫୫ ମଧ୍ୟରେ ଲାଗି ହୋଇଥିଲା ନବାନ୍ନ । ଏହାପରେ ଜିଲ୍ଲାବାସୀ ନବାନ୍ନ ଖାଇଥିଲେ । ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାନେଶ୍ୱର ବ୍ଲକ ସିନ୍ଦୂରପଙ୍କର ଶ୍ୟାମସୁନ୍ଦର ପତିଙ୍କ ଘରେ ପତ୍ନୀଙ୍କ ସହ ଖାଇଛନ୍ତି ନବାନ୍ନ । ବରଗଡ଼ ଜିଲ୍ଲାରେ ମଧ୍ୟ ଇଷ୍ଟଦେବୀ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ପରେ ସମସ୍ତେ ଏକାଠି ବସି ଖାଇଛନ୍ତି ନବାନ୍ନ । 

ଏକାଠି ବସି ନୂଆ ଖାଇଲେ ପୂରା ଗାଁ ଲୋକ । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ କର୍ଲାମୁହାଣ ଗାଁରେ ଦେଖିବାକୁ ମିଳିଥିଲା ନୂଆଁଖାଇ ସେଲିବ୍ରେସନର ଦୃଶ୍ୟ । ଗାଁ ଦାଣ୍ଡରେ ଗାଁର ସବୁ ଲୋକ ଧାଡ଼ିରେ ବସି ନବାନ୍ନ ଖାଇଛନ୍ତି । ଯାହା ଭାଇଚାରାର ଅନନ୍ୟ ଉଦାହରଣକୁ ବର୍ଣ୍ଣନା କରୁଛି । ସେହିପରି କଳାହାଣ୍ଡି ଜିଲ୍ଲାବାସୀ ମା’ ମାଣିକେଶ୍ୱରୀଙ୍କ ପାଖରେ ପୂଜାର୍ଚ୍ଚନା ପରେ ଏକାଠି ବସି ଖାଇଛନ୍ତି । ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ରାଜପରିବାର ସଦସ୍ୟ ଏକାଠି ବସି ନୂଆ ଖାଇଛନ୍ତି । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ବିଜେଡି ନେତା କଳିକେଶ ସିଂହଦେଓ ଭିନ୍ନ ଭିନ୍ନ ରାଜନୈତିକ ଦଳର ହୋଇଥିଲେ ମଧ୍ୟ ନୂଆଁଖାଇରେ ଏକାଠି ବସି ଖାଇଛନ୍ତି । ସୁନ୍ଦରଗଡ଼ ରାଜପରିବାରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିିଥିଲା । 

ପଶ୍ଚିମ ଓଡ଼ିଶା ଛଡ଼ା ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ପାଳିତ ହୋଇଛି ନୂଆଁଖାଇ । ନବରଙ୍ଗପୁରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରିବାର ଲୋକଙ୍କ ସହ ଖାଇଛନ୍ତି ନବାନ୍ନ । ରାଜ୍ୟପାଳ ବି ପାଳିଛନ୍ତି ନୂଆଖାଇ । ରାଜଭବନର ଅଭିଷେକ ହଲ୍‌ରେ ପାଳିତ ହୋଇଛି ଏହି କୃଷିଭିତ୍ତିକ ଗଣପର୍ବ । ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା କରି ନୂଆ ଧାନ ଓ ନବାନ୍ନ ଅର୍ପଣ କରିଛନ୍ତି ରାଜ୍ୟପାଳ ।