କନକ ବ୍ୟୁରୋ: ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି, ଯାହାକି ୩ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପାଇଁ ହେବ ଏସିଡ୍ ଟେଷ୍ଟ । ତେବେ ଏହାପୂର୍ବରୁ ପିସିସି ସଭାପତି ଭକ୍ତ ଦାସ ଦେଇଛନ୍ତି ବଡ଼ ଇସାରା । କଥାରେ କଥାରେ ନୂଆପଡ଼ା ଉପ-ନିର୍ବାଚନରେ ଘାସିରାମ ମାଝୀ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଭକ୍ତ ଇସାରା ଦେଇଛନ୍ତି । ଭକ୍ତ କହିଛନ୍ତି, ଗତ ନିର୍ବାଚନରେ ଘାସିରାମଙ୍କୁ ଟିକେଟ୍ ଦିଆଯାଇନଥିଲା । ହେଲେ ଏବେ କିନ୍ତୁ ସର୍ବକ୍ଷମା ପରେ ସେ ଜିଲ୍ଲା ସଂଯୋଜକ ଅଛନ୍ତି । ଗତ ନିର୍ବାଚନରେ ଘାସିରାମ ୫୧ ହଜାର ଭୋଟ୍ ପାଇଥିବାବେଳେ, କଂଗ୍ରେସ ପ୍ରାର୍ଥୀ ୧୫ ହଜାର ଭୋଟ୍ ପାଇଥିଲେ । ତେଣୁ କଂଗ୍ରେସର ଭୋଟ୍ ବ୍ୟାଙ୍କ ଦେଖି ଅନ୍ୟ ଦଳ ଭୟଭୀତ ଅଛନ୍ତି । ତେଣୁ କଂଗ୍ରେସ ପ୍ରାର୍ଥୀଙ୍କୁ ଯେତେ ଅଫର୍ ଆସିଲେ ବି ସେ ବିକ୍ରି ହେବେନି ବୋଲି କହିଛନ୍ତି ଭକ୍ତ ଦାସ ।

Advertisment

ଆପଣ ଜାଣିଥିବେ ଯେ, ଗତ ସାଧାରଣ ନିର୍ବାଚନରେ ନୂଆପଡ଼ାରୁ ସେତେବେଳର ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ । ଯାହାଫଳରେ କଂଗ୍ରେସ ଟିକେଟ୍ ଆଶାୟୀ ଘାସିରାମ ମାଝିଙ୍କର ଟିକେଟ୍ କଟିଥିଲା । ହେଲେ ତା ପରେ ବି ସେ ସ୍ୱାଧୀନ ଭାବେ ଠିଆ ହୋଇଥିଲେ । ଆଉ ନିର୍ବାଚନରେ ତାଙ୍କୁ ୫୦ ହଜାରରୁ ଅଧିକ ଭୋଟ୍ ମିଳିଥିଲା ।

ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ୬୧ ହଜାର ଭୋଟ୍ ମିଳିଥିଲା । ଯିଏକି ନିର୍ବାଚନରେ ବିଜୟୀ ହୋଇଥିଲେ । ଆଉ ଏହାପରେ ଦ୍ୱିତୀୟରେ ରହିଥିଲେ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝି । ତାଙ୍କୁ ୫୦ ହଜାରରୁ ଅଧିକ ଭୋଟ୍ ମିଳିଥିଲା, ଯେତେବେଳେ କି କଂଗ୍ରେସର ପ୍ରାର୍ଥୀ ଥିବା ଶରତ ପଟ୍ଟନାୟକଙ୍କୁ ମାତ୍ର ୧୫ ହଜାର ଭୋଟ୍ ମିଳିଥିଲା । ତେଣୁ ଏଥର ଘାସିରାମଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କରି ବଡ଼୍ ଗେମ୍ ଖେଳିବାକୁ ଲକ୍ଷ୍ୟ ରଖିଛି ରାଜ୍ୟ କଂଗ୍ରେସ । 

ଭିଡିଓ ଦେଖନ୍ତୁ...