କନକ ବ୍ୟୁରୋ: ଗଣପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗିହେଲା ନବାନ୍ନ । ପରମ୍ପରା ଅନୁଯାୟୀ ସମ୍ବଲପୁର ଇଷ୍ଟଦେବୀ ମା’ ସମଲେଇଙ୍କ ମନ୍ଦିର ଭୋର ୪ଟାରୁ ଖୋଲା ଯାଇଥିଲା। ମା’ଙ୍କୁ ସ୍ନାନ କରାଇ ନୂଆବସ୍ତ୍ର ପରିଧାନ କରି ଗୁପ୍ତ ପୂଜା କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସକାଳ ୯ଟା୧୨ରୁ ୯ଟା ୨୭ ମଧ୍ୟରେ ନବାନ୍ନ ଲାଗି କରାଯାଇଛି। 

  • ନୂଆଁଖାଇ ପାଳିଲା ପଶ୍ଚିମ ଓଡ଼ିଶା
  • ମା’ ସମଲେଶ୍ୱରୀଙ୍କୁ ଲାଗିହେଲା ନବାନ୍ନ
  • ନୂଆ ଖାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ନୂଆଁଖାଇ ଅବସରରେ ମା’ ସମଲେଶ୍ୱରୀଙ୍କ ଆର୍ଶୀବାଦ ନେବା ସହ ନବାନ୍ନ ଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନୂଆ ଖାଇଛନ୍ତି। ସେହିପରି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ମଧ୍ୟ ନବାନ୍ନ ଗ୍ରହଣ କରିଛନ୍ତି। ସେପଟେ ବଲାଙ୍ଗୀର ରାଜା ଘର ନୂଆଁଖାଇ ମଧ୍ୟ ଥିଲା ବେଶ ନିଆରା। ଏକାଠି ବସି ନୂଆ ଖାଇଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ତ୍ରୀ ତଥା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ, ବିଧାୟକ କଳିକେଶ ନାରାୟଣ ସିଂଦେଓ ଓ ପୂରା ପରିବାର।

ତେବେ ନୂଆଁଖାଇ, କୃଷି ଓ କୃଷକର ଭାବନା ସହ ଜଡିତ ଗଣପର୍ଵ । ଚାଷୀ ତାର ପ୍ରଥମ ଅନ୍ନକୁ ନିଜର ଇଷ୍ଟଦେବୀ ଠାରେ ଲାଗି କରାଇ ବର୍ଷ ଯାକ କେମିତି ଭଲ ଅମଳ ହେବ ସେନେଇ ମା’ଙ୍କ ଠାରୁ ଆଶିଷ ଭିକ୍ଷା କରେ। ନୂଆଁଖାଇ ଏକ କୃଷିଭିତ୍ତିକ ପର୍ବ  ହୋଇଥିବାରୁ ମା’ ମାଟିକୁ କୃତଜ୍ଞତା ଜଣାଇଛି ଚାଷୀ। ଅନ୍ୟପଟେ ପଶ୍ଚିମ ଓଡ଼ିଶାର ଏହି ଗଣପର୍ବ ଅବସରରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନୂଆଁଖାଇ ପାଳନ କରିଛନ୍ତି।