କନକ ବ୍ୟୁରୋ : କମ୍ପାନି ଆସେ ଅଞ୍ଚଳବାସୀଙ୍କୁ ବିକାଶର ସ୍ୱପ୍ନ ଦେଖାଏ । ହେଲେ କିଛି କମ୍ପାନି ସ୍ବପ୍ନ ତ ଛାଡ଼ନ୍ତୁ ରାତିରେ ଶୋଇବା ବି ମୁସ୍କିଲ କରିଦିଏ । ଏହିଭଳି ସଙ୍ଗିନ ପରିସ୍ଥିତି ଦେଇ ଗତି କରୁଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଦିର୍ଲିପାଲିର ୨ଟି ଗାଁର ଲୋକ । ଗାଁ ସମ୍ମୁଖରେ ପାୱାର ପ୍ଲାଣ୍ଟର ଉତ୍ତପ୍ତ ଝାଞ୍ଜିକୁ, ଗାଁ ପଛପଟେ ପାଉଁଶ ପାହାଡ଼, ଅତିଷ୍ଠ କଲାଣି । 

Advertisment

ସୁନ୍ଦରଗଡ଼ ଜିଲ୍ଲା ଦର୍ଲିପାଲିରେ ଅଛି ଏନ୍‌ଟିପିସିର ୨ଟି ଥର୍ମାଲ୍‌ ପାୱାର ପ୍ଲାଣ୍ଟ । ୨୦୧୦ରୁ ପ୍ଲାଣ୍ଟ ଚଳାଇବା ସହ ୮୦୦ ମେଗାୱାଟ୍ର ବିଜୁଳି ଉତ୍ପାଦନ କରୁଛି । ସେଠାରୁ ବାହାରୁଥିବା ପାଉଁଶ ଗୁଣ୍ଡକୁ କମ୍ପାନି ପଛପଟେ ପକାଉଛି । ଏହି ପ୍ଲାଣ୍ଟ ଓ ଆସ୍‌ପଣ୍ଡ ମଝିରେ ରହି ଦହଗଞ୍ଜ ହେଉଛନ୍ତି ୨ଟି ଗାଁ ବରୋବଗା ଓ ଆଳୁପଡ଼ାର ଲୋକେ । ପବନରେ ଆସ୍‌ପଣ୍ଡରୁ ଉଡ଼ିଆସୁଛି ପାଉଁଶ । ଘରଦ୍ବାର, ଗଛପତ୍ର, ଚାଷଜମି ସବୁ ଧଳା ହୋଇଯାଉଛି । ପାଉଁଶ ମିଶିବାରୁ ନଦୀ ପାଣି ଆଉ ପିଇବା ଯୋଗ୍ୟ ହୋଇନାହିଁ । ଜୀବନ ଏଠି ଯନ୍ତ୍ରଣା ପାଲଟିଯାଇଛି। ତେଣୁ କମ୍ପାନି ପକ୍ଷରୁ ବିସ୍ଥାପନ କରିବାକୁ ଦାବି କରୁଛନ୍ତି ଗ୍ରାମବାସୀ ।

ଦର୍ଲିପାଲି ଠାରେ ଥର୍ମାଲ୍‌ ପାୱାର ପ୍ଲାଣ୍ଟକୁ ସମ୍ପ୍ରସାରଣ କରି ଆହୁରି ୮୦୦ ମେଗାୱାଟର ପାୱାର ପ୍ଲାଣ୍ଟ ପାଇଁ ଜମି ଅଧିଗ୍ରହଣ କରିବାକୁ ଯାଉଛି ଏନ୍‌ଟିପିସି । ହେଲେ ଗାଁ ଲୋକଙ୍କ କଥା ବୁଝୁନି । ତେଣୁ ସ୍ୱାଧୀନତା ଦିବସରେ ଜିଲ୍ଲାକୁ ମୁଖ୍ୟ ଅତିଥି ହୋଇଆସିଥିବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇଛନ୍ତି ଗ୍ରାମବାସୀ । ହାତରେ ପ୍ଲା-କାର୍ଡ ଧରି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପାଖରେ ପହଞ୍ଚିଥିଲେ ମହିଳା । କମ୍ପାନି ଓ ପ୍ରଶାସନର ଦୂରଦୃଷ୍ଟିର ଅଭାବ ପାଇଁ ୨ଟି ଗାଁର ଶହେଟି ପରିବାର ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ।