କନକ ବ୍ୟୁରୋ: ଦୁଃଖ ଦେଉଛି ଏନ୍‌ଟିପିସି । ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଦୁଇ ଗ୍ରାମବାସୀ। ଏନ୍‌ଟିପିସି ଦର୍ଲିପାଲି ପାୱାରପ୍ଲାଣ୍ଟ ମଝିରେ ରହିଯାଇଥିବା ଦୁଇ ଗ୍ରାମବାସୀ ଆଳୁପଡ଼ା ଓ ବରୋବଗାର ଦୁଃଖ ସରୁନାହିଁ । ଗାଁର ଗୋଟିଏ ପଟେ ପାୱାର ପ୍ଲାଣ୍ଟର ପ୍ରଦୂଷଣ, ଅନ୍ୟପଟେ ପାଉଁଶ ପୋଖରୀ । ପବନ ବହିଲେ ଭୟ ବଢ଼ୁଛି । ପାଉଁଶ ଉଡ଼ି ଗାଁରେ ପଡ଼ୁଛି । ଜୀବନ ଏଠି ଯନ୍ତ୍ରଣା ପାଲଟିଯାଇଛି । ୨୦୧୦ ମସିହାରୁ ବିସ୍ଥାପିତ ହେବା ପାଇଁ ଆନ୍ଦୋଳନ କରି ଆସୁଛନ୍ତି । ବିପଦ ଭିତରେ ବଞ୍ଚିବା ବିସ୍ଥାପିତ ହେବା ଭଲ । ତେଣୁ ବିସ୍ଥାପନ ଦାବିରେ ବାରମ୍ବାର ଆନ୍ଦୋଳନ କରି ଆସୁଛନ୍ତି ଗ୍ରାମବାସୀ । ହେଲେ ଏମାନଙ୍କ ଦାବି କେହି ଶୁଣୁନାହାନ୍ତି । ଆଉ ଏପଟେ ଏବେ ଏନ୍‌ଟିପିସି କମ୍ପାନିଙ୍କ ସଂପ୍ରସାରଣ କରିବ । କମ୍ପାନି ବଢ଼ିଲେ, ଯେଉଁ ଦୁଃଖ ଥିଲା ତାହା ଦ୍ୱିଗୁଣିତ ହୋଇଯିବ । ସେହି ଆଶଙ୍କା କରି ଆନ୍ଦୋଳନକୁ  ଓହ୍ଲାଇଛନ୍ତି ଦୁଇ ଗାଁର ମହିଳାମାନେ । ହାତରେ ପ୍ଲାକାର୍ଡ ଧରି କମ୍ପାନି ସମ୍ମୁଖରେ ଧାରଣାରେ ବସିଛନ୍ତି । ଯଦି ୧୦ ତାରିଖ ସୁଦ୍ଧା କେହି ଦାବି ନଶୁଣନ୍ତି ତେବେ ପାୱାର ପ୍ଲାଣ୍ଟରେ ତାଲା ପକାଇ ଦେବାର ଚେତାବନୀ ବି ଦେଇଛନ୍ତି ଗ୍ରାମବାସୀ ।