କନକ ବ୍ୟୁରୋ: ଭାରତକୁ ଥରକୁ ଥର ଧମକ ଦେଉଛି ଆମେରିକା । ପୂର୍ବରୁ ବ୍ୟବସାୟ ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିବାବେଳେ ଏବେ ଏହାକୁ ଆହୁରି ବଢ଼ାଇବାକୁ ଧମକ ଦେଉଛନ୍ତି ।  ତାଙ୍କ ରାଗ ହେଉଛି ଋଷ ସହ ଭାରତର ସମ୍ପର୍କ ।

Advertisment

ସୂଚନା ଅନୁସାରେ, ଋଷ ରାଜଧାନୀ ମସ୍କୋରେ ପହଞ୍ଚିଛନ୍ତି ପ୍ରତିରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଆମେରିକା ଓ ଭାରତ ମଧ୍ୟରେ ଏବେ ସମ୍ପର୍କରେ ତିକ୍ତତା ଦେଖାଯାଉଥିବାବେଳେ ଡୋଭାଲଙ୍କ ମସ୍କୋ ଗସ୍ତ ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ଋଷର ପ୍ରାଶାସନିକ ଅଧିକାରୀଙ୍କ ସମେତ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କକୁ ସଦୃଢ଼ କରିବା ଆଲୋଚନା ହେବ ବୋଲି କୁହାଯାଉଛି । ଏଥିରେ ବଣିଜ୍ୟିକ ସମ୍ପର୍କ ସହ S-400  ଡିଫେକ୍ସ ସିଷ୍ଟମ୍ କିଣିବା ଉପରେ ମଧ୍ୟ ଆଲୋଚନା ହେବା ନେଇ ସୂଚନା ରହିଛି ।

ଭାରତକୁ ଟ୍ରମ୍ପ ଆଖି ଦେଖାଉଥିବାବେଳେ ଋଷ ସହ ସମ୍ପର୍କକୁ ଆହୁରି ଦୃଢ଼ କରିବା ଉପରେ ଗୁରୁତ୍ବ ଦେଉଛି ଭାରତ । ଋଷଠାରୁ ଭାରତ ତୈଳ ଆମଦାନୀ କରୁଥିବାରୁ ତା ଉପରେ ରାଗ ସୁଝୁଛି ଆମେରିକା । ଟ୍ରମ୍ପଙ୍କ ଅଭିଯୋଗ , ଭାରତ କାଳେ ଋଷଠାରୁ ତୈଳ କିଣି ପରୋକ୍ଷ ଭାବେ ୟୁକ୍ରେନ ସହ ଯୁଦ୍ଧ କରିବାକୁ ପାଣ୍ଠି ଯୋଗାଉଛି । କିନ୍ତୁ ଟ୍ରମ୍ପଙ୍କ ଏଭଳି ଅଭିଯେଗାକୁ ଖଣ୍ଡନ କରିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ । ସେ କହିଛନ୍ତି, ’ ଭାରତ ସବୁବେଳେ ସବୁ ଦେଶଙ୍କ ସହ ସୁସମ୍ପର୍କ ରଖିବାକୁ ଚେଷ୍ଟା କରିଆସିଛି । ପ୍ରମୁଖ ଅର୍ଥ ବ୍ୟବସ୍ଥା ଭଳି ଭାରତ ମଧ୍ୟ  ନିଜର ଆର୍ଥିକ ସମ୍ପର୍କ ଭଲ ରଖିବାକୁ ପୟାସ କରୁଛି ।  ତେଣୁ ଟ୍ରମ୍ପ ଅଯଥା ଋଷ ସହ ସମ୍ପର୍କକୁ ନେଇ ଭୁଲ ମନ୍ତବ୍ୟ ଦେଉଛନ୍ତି ’  ।