କନକ ବ୍ୟୁରୋ : ଆଜି ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆସୁଥିବା ଅତିଥିମାନେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବେ । ଓଡ଼ିଶାର କଳା,ସଂସ୍କୃତି,ଐତିହ୍ୟ,ପରମ୍ପରା ଓ ପୂର୍ବ ପୁରୁଷ ମାନଙ୍କ କୀର୍ତ୍ତିରାଜି କୁ ମନେ ରଖିବା ପାଇଁ ପ୍ରବାସୀ ମାନେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବେ । ସେଥିମଧ୍ୟରେ ବିଶ୍ଵ ପ୍ରସିଦ୍ଧ ବୌଦ୍ଧ ପୀଠ ରତ୍ନଗିରି ରହିଛି । ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବରୀ ବ୍ଲକ ପ୍ରଶାସନ ପକ୍ଷରୁ ରତ୍ନଗିରି ପର୍ବତ ଚତୁପାର୍ଶ୍ଵକୁ ସଫା କରିବା ସହିତ ପ୍ଲାଷ୍ଟିକ ମୁକ୍ତ କରାଯାଇଛି । ସେହିପରି ରାସ୍ତା ସଫା କରାଯିବା ସହ ଆଲୋକି କରଣ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା କରାଯାଇଛି । ଆସୁଥିବା ଅତିଥି ମାନଙ୍କ ପାଇଁ ରହିବା ବ୍ୟବସ୍ଥା, ସଭା ପାଇଁ ମଞ୍ଚ ଆଦି ବିଭିନ୍ନ ବ୍ୟବସ୍ଥା କରାଯାଇଛି ।

Advertisment

ଆଜିଠୁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆରମ୍ଭ ହେଉଥିବା ବେଳେ ଟ୍ରାଫିକ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବହୁ ଭିଆଇପି ଓ ଭିଭିଆଇପିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଟ୍ରାଫିକ୍ କଣ୍ଟ୍ରୋଲ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାରେ ପହଂଚିବେ । ଏସବୁକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ୍ ସହରବାସୀଙ୍କୁ କେଉଁ ରାସ୍ତାରେ ଗମନାଗମନ କରିହେବ, କେଉଁ ରାସ୍ତା ସାମୟିକ ଭାବେ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିବ, ତାର ସୂଚନା ଜାରି କରିଛି । ଆଜି ସଂଧ୍ୟା ୭ଟା ୫୦ ମିନିଟରୁ ସଂଧ୍ୟା ୮ଟା ୨୦ ମିନିଟ ଯାଏଁ ଏୟାରପୋର୍ଟ ଛକରୁ ଆରମ୍ଭ କରି ହସ୍ପିଟାଲ ଛକ, ଏଡି ଛକ-ବାମ ମୋଡରୁ ରାଜଭବନ ଯାଏଁ ଯାଇଥିବା ରାସ୍ତା ସାଧାରଣ ଯାତାୟତ ପାଇଁ ବନ୍ଦ ରହିବ । ତେଣୁ ଏହି ସମୟରେ ଏହି ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟତ କରିବାକୁ କମିଶନରେଟ ପୋଲିସ୍ ସହରବାସୀଙ୍କୁ ନିବେଦନ କରିଛି ।