କନକ ବ୍ୟୁରୋ: ୟୁପିଆଇ କାରବାରକୁ ନେଇ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି NPCI । ଏଣିକି ସ୍ପେଶାଲ କାଟାଗୋରିରେ ଏକାଥରକେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିହେବ । ଯାହାଫଳରେ ୟୁପିଆଇ ୟୁଜର୍ସଙ୍କୁ ଆଉ ଛୋଟଛୋଟ ଲେଣଦେଣ କରିବାକୁ ପଡ଼ିବ ନାହିଁ । ଖାଲି ସେତିକି ନୁହେଁ ୨୪ ଘଣ୍ଟା ମଧ୍ୟରେ ଅଧିକରୁ ଅଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ । ତେବେ ଏଠି ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ନିୟମରେ ପରିବର୍ତ୍ତନ ଯୋଗୁଁ ସାଧାରଣ ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ କେତେ ପ୍ରଭାବ ପଡ଼ିବ ? ୟୁପିଆଇ ଟ୍ରାଞ୍ଜାକ୍ସନକୁ ଆହୁରି ସରଳ ଓ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏଭଳି ପରିବର୍ତ୍ତନ କରାଯାଇଥିବା ନେଇ NPCI ପକ୍ଷରୁ କୁହାଯାଇଛି ।

Advertisment

NPCIର ନୂଆ ନିୟମ ଅନୁଯାୟୀ ସ୍ପେଶାଲ କାଟାଗୋରିରେ ଆଉ ଛୋଟଛୋଟ ଟ୍ରାଞ୍ଜାକ୍ସନ କରିବାକୁ ପଡ଼ିବନି । ଏଠି ମନକୁ ଏକ ପ୍ରଶ୍ନ ଆସିବା ସ୍ୱାଭାବିକ, ସ୍ପେଶାଲ କାଟାଗୋରିରେ କେଉଁ ସବୁ ଟ୍ରାଞ୍ଜାକ୍ସନ ଆସିବ । ତେବେ ଏହି  କାଟାଗୋରି ମଧ୍ୟରେ ଇନ୍ସ୍ୟୁରାନ୍ସ ପ୍ରିମିୟମ, କ୍ୟାପିଟାଲ ମାର୍କେଟ୍ ନିବେଶ, କ୍ରେଡିଟ୍‌ କାର୍ଡ ବିଲ୍ ଆଦି ଆସୁଛି । ତେବେ କ୍ରେଡିଟ୍ ପାଇଁ ୨୪ ମଧ୍ୟରେ ଟ୍ରାଞ୍ଜାକ୍ସନ ପାଇଁ ଅଲଗା ନିୟମ ରହିଛି । ଫୋନ୍‌ ପେ', ଗୁଗଲ୍ ପେ' ୟୁଜର ହୁଅନ୍ତୁ କି ପେଟିଏମ୍‌ ଗ୍ରାହକ ୨୪ ଘଣ୍ଟା ମଧ୍ୟରେ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହିଁ ବୈଲ ପେମେଣ୍ଟ କରିପାରିବେ ।

ସାଧାରଣ ୟୁପିଆଇ ୟୁଜର୍ସ ବା ପର୍ସନ ଟୁ ପର୍ସନ ଟ୍ରାଞ୍ଜାକ୍ସନ ପାଇଁ ନିୟମରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ସାଧାରଣ ୟୁପିଆଇ ୟୁଜର୍ସଙ୍କ ପାଇଁ ପୂର୍ବରୁ ଯେମିତି ଏକ ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ ଲିମିଟ୍‌ ରହିଥିଲା ତାହା ବଳବତ୍ତର ରହିଛି । ତେବେ ବଦଳିବାକୁ ଥିବା ନୂଆ ନିୟମ ଯୋଗୁଁ ଫୋନ୍ ପେ, ଗୁଗଲ ପେ ଓ ପେଟିଏମ୍ ଭଳି ଲୋକପ୍ରିୟ ଆପ୍‌ଗୁଡିକରେ ଏହା ସିଧା ପ୍ରଭାବ ଦେଖିବାକୁ ମିଳିବ । କାରଣ ଏଥର ୟୁଜର୍ସ ସହଜରେ ବଡ଼ ଧରଣର ଟ୍ରାଞ୍ଜାକ୍ସନ କରିପାରିବେ । ବୀମା ପ୍ରିମିୟମ ପୈଠ, ଟ୍ରାଭେଲ ବୁକିଂ ଓ ଅନ୍ୟାନ୍ୟ ବଡ଼ ଧରଣର ପେମେଣ୍ଟ ଏଥର ୟୁପିଆଇ ମାଧ୍ୟମରେ ହୋଇପାରିବ । ବିଶେଷଜ୍ଞଙ୍କ ମତରେ ଏନ୍‌ପିସିଆର ଏହି ପଦକ୍ଷେପ ଯୋଗୁଁ କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକ୍ସନ ବୃଦ୍ଧି ପାଇବ । ୟୁପିଆଇ ଆପ୍‌ଗୁଡ଼ିକ ଉପରେ ୟୁଜର୍ସଙ୍କ ବିଶ୍ୱସନୀୟତା ବୃଦ୍ଧି ପାଇବା ସହ ଅର୍ଥ ବ୍ୟବସ୍ଥା ଉପରେ ଏହାର ସିଧା ପ୍ରଭାବ ଦେଖିବାକୁ ମିଳିବ । ଡିଜିଟାଲ୍‌ ପେମେଣ୍ଟ କ୍ଷେତ୍ରରେ ଏହା ଏକ ବଡ଼ ପଦକ୍ଷେପ ସାବ୍ୟସ୍ତ ହେବ ।