କନକ ବ୍ୟୁରୋ: ଏଣିକି ନିଜସ୍ୱ ଘୋଷଣାନାମାରେ କରିହେବ ଚାଷୀ ପଞ୍ଜୀକରଣ । ଆଉ ଦରକାର ନାହିଁ ବଂଶାନୁକ୍ରମିକ ପ୍ରମାଣପତ୍ର । ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସରକାରଙ୍କ ଅତିରିକ୍ତ ସଚିବ । ଚଳିତ ଖରିଫ୍ ଋତୁ ପାଇଁ ଏହାକୁ କାର୍ଯ୍ୟକାରୀ କରାଯିବ ।
ପୂର୍ବରୁ ଖରିଫ ଋତୁ ଧାନ ସଂଗ୍ରହ ଏବଂ ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ସେ କହିଥିଲେ , ଗୋଟେ ବି ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହେବେନି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ଜାରି ପ୍ରକ୍ରିୟାର ଅବଧିକୁ ବୃଦ୍ଧି କରାଯାଇଛି । ଏହି ପଞ୍ଜୀକରଣ ପ୍ରକ୍ରିୟା ଗତ ଜୁଲାଇ ୧୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଚାଷୀମାନଙ୍କ ସ୍ବାର୍ଥ ଓ ଅନୁରୋଧ କ୍ରମେ ଏହି ଅବଧିକୁ ବୃଦ୍ଧି କରିଛନ୍ତି ସରକାର । ଏପର୍ଯ୍ୟନ୍ତ ୧୦ ଲକ୍ଷ ୯୩ ହଜାର ୨୨୦ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଆଗକୁ ଏହା ଆହୁରି ବୃଦ୍ଧି ହେବ । ଏଥିସହ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରାଯାଇଥିବା କହିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।