କନକ ବ୍ୟୁରୋ : ଓଡ଼ିଆ ଜାତି ଯେଉଁ ସମୟରେ ନିଜର ସ୍ଥିତିକୁ ନେଇ ସଂଘର୍ଷ କରୁଥିଲା ସେହି ସମୟରେ ସତ୍ୟବାଦୀରେ ବକୁଳ ବନ ବିଦ୍ୟାଳୟ ସ୍ଥାପନ କରି ନୂଆ ଦିଶା ଦେଖାଇଥିଲେ ପଞ୍ଚସଖା । ସେହି ମଣିଷ ତିଆରି କାରଖାନା ଆଜି ଅବହେଳିତ! ଜରାଜୀର୍ଣ୍ଣ ପଞ୍ଚସଖାର ପ୍ରତିମୂର୍ତ୍ତି । ଦିନେ ବନ ବିଦ୍ୟାଳୟ ଦେଖିବା ପାଇଁ ଛୁଟି ଆସୁଥିଲେ ପର୍ଯ୍ୟଟକ । କିନ୍ତୁ ବର୍ତ୍ତମାନର ଅବସ୍ଥା ଦେଖି ଫାଟକ ଦୁଆରୁ ମୁହଁ ମୋଡି ଫେରିଯାଉଛନ୍ତି । କାରଣ ନିଶାଡ୍ଡୀଙ୍କ ଆଡ୍ଡାସ୍ଥଳୀ ଲଟିଯାଇଛି ପଞ୍ଚସଖାଙ୍କ କର୍ମସ୍ଥଳ । ରକ୍ଷଣାବେକ୍ଷଣ ଅଭାବରୁ ଆଜି ଗୁମୁରିଗୁମୁରି କାନ୍ଦୁଛି ବକୁଳ ବନ! 

Advertisment

୧୯୦୯ ଅଗଷ୍ଟ ୧୨ ।  ନିଜ ଭାଷା ଓ ଜାତିର ଉନ୍ନତି ପାଇଁ ଏକାଠି ହୋଇଥିଲେ ପଞ୍ଚସଖା । ପ୍ରତିଷ୍ଠା କରିଥିଲେ ଓଡ଼ିଆ ଭାଷା ଅସ୍ମିତାର ପ୍ରାଣ କେନ୍ଦ୍ର ପାଲଟିଥିଲା ବକୁଳବନ ବନ ବିଦ୍ୟାଳୟ । ଗୋରା ସରକାର ସମୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଦାସ, କୃପାସିନ୍ଧୁ ଦାସ, ଗୋଦାବରୀଶ ମିଶ୍ରଙ୍କ ଉଦ୍ୟମରେ ଗଢ଼ି ଉଠିଥିଲା ଗୁରୁକୂଳ । ବକୁଳ ଗଛ ମୂଳରେ ରାଷ୍ଟ୍ରବାଦ ଶିକ୍ଷା ଓ ଓଡ଼ିଆ ଭାଷାର ବିକାଶ ପାଇଁ ଛାତ୍ରଛାତ୍ରୀଙ୍କ ମନରେ ଶିକ୍ଷାର ମଞ୍ଜି ବୁଣିଥିଲେ । ଆଜି ପଞ୍ଚସଖା ନାହାନ୍ତି କିନ୍ତୁ ତାଙ୍କ ଉପସ୍ଥିତି ଅନୁଭବ କରିବା ପାଇଁ ବକୁଳ ବନ ଯଥେଷ୍ଟ । କିନ୍ତୁ ବର୍ତ୍ତମାନର ସ୍ଥିତି ସଂପୂର୍ଣ୍ଣ ବିଗିଡ଼ି ଯାଇଛି । ମୁକ୍ତାକାଶ ବିଦ୍ୟାଳୟର ଦୃଶ୍ୟ ଦେଖି ଦୁଃଖ ପ୍ରକାଶ କରିଛନ୍ତି ପୁରାତନ ଛାତ୍ର ଏବଂ ପର୍ଯ୍ୟଟକ ।    

୨୦୦୬ ମସିହାରୁ ବକୁଳ ବନର ମହକ ଫେରାଇ ଆଣିବା ପାଇଁ ଉଦ୍ୟମ ହୋଇ ଆସୁଛି । ୨୦୦୬ରୁ ୦୮ ଭିତରେ ୫ କୋଟି ଅନୁଦାନରେ ବକୁଳ ବନର ସୌନ୍ଦର୍ଯ୍ୟକରଣ ହୋଇଥିଲା । ରାଧାକୁଣ୍ଡ, ଶ୍ୟାମକୁଣ୍ଡ ମୁକ୍ତାକାଶ ରଙ୍ଗମଞ୍ଚ, ଚନ୍ଦନ ପୋଖରୀର ପୁନଃରୁଦ୍ଧାର ସହ ଆଲୋକୀକରଣ ହୋଇଥିଲା । ପରେ ଆଉ ୮କୋଟି ଅନୁଦାନ ମିଳିଥିଲେ ମଧ୍ୟ କୌଣସି କାରଣ ବଶତଃ ସଂପୂର୍ଣ୍ଣ ପୁନଃଉଦ୍ଧାର କାର୍ଯ୍ୟ ହୋଇପାରିନାହିଁ । ଏବେର ସରକାର ମଧ୍ୟ ଅଣ୍ଟା ଭିଡ଼ିଛନ୍ତି । ଏ କଥା ଶୁଣି ଓଡ଼ିଆ ଯେତିକି ଖୁସି ହୋଇଛନ୍ତି ସେତିକି ଚିନ୍ତା ପ୍ରକଟ କରିଛନ୍ତି । କାରଣ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ପରବର୍ତୀ ସମୟରେ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ ଅବସ୍ଥାରେ ପଡ଼ିରହୁଛି ।