କନକ ବ୍ୟୁରୋ: ନିର୍ବାଚନରେ ବିଜେଡି ହାରିବା ପରେ ନେତାମାନଙ୍କୁ ଡାକି ଆଲୋଚନା କରି, ଜିଲ୍ଲା ଜିଲ୍ଲା ବୁଲିବାକୁ ପ୍ରତିଶ୍ରୁତି ଦେଇଥିଲେ ନବୀନ। ନିର୍ବାଚନ ହାରିବା ପରେ ନବୀନଙ୍କ ଲୋକପ୍ରିୟତା କେତେ ରହିଛି ତାହା ପରଖିବାକୁ ବିଜେଡିର  କାର୍ପଟଦାର  ଗୋଷ୍ଠୀଙ୍କ  ତରଫରୁ ଅନେକ ପ୍ଲାନ କରାଯାଇଥିଲା। ନଭେମ୍ବରରେ ନବୀନ ଜିଲ୍ଲାକୁ ଜିଲ୍ଲା ବୁଲିବେ ବୋଲି ଦଳ ପକ୍ଷରୁ ପ୍ରସ୍ତୁତି ଚାଲିଥିଲା। କିନ୍ତୁ ନଭେମ୍ବର ବିତିଗଲା ନବୀନଙ୍କୁ ଗ୍ରାଉଣ୍ଡରେ ଦେଖିବାକୁ ପାଇଲେନି ବିଜେଡି ନେତା ଓ କର୍ମୀ। ଶଙ୍ଖ ଭବନ ଓ ସୋସିଆଲ ମିଡ଼ିଆରେ ନବୀନ ସୀମିତ ରହିଲେ।  ନବୀନଙ୍କୁ ମୈଦାନକୁ ଆଣିବା ପୂର୍ବରୁ କାପର୍ଟଦାର ଗୋଷ୍ଠୀ ପକ୍ଷରୁ ଅନେକ ପ୍ରକାର କସରତ କରାଯାଇଛି। କେତେବେଳେ ପୂଜା ମଣ୍ଡପ ବୁଲା ହେଉ ତ ପୁଣି କେତେବେଳେ ଶଙ୍ଖଭବନରେ ସମୀକ୍ଷା। ଏହାକୁ ବାଦ୍ ଦେଇ ସୋସିଆଲ ମିଡ଼ିଆରେ ନବୀନଙ୍କ ଲୋକପ୍ରିୟତା ବଢାଇବାକୁ ଗୁପଚୁପ ଖାଇବାର ଭିଡ଼ିଓ ଭାଇରାଲ କରାଗଲା। ଆଷାଢ ଯାଇ ମାର୍ଗଶୀର ଶେଷ ହେବାକୁ ବସିଲାଣି ତଥାପି  ବିଜେଡି ମୁଖିଆ ମୈଦାନକୁ ଦେଖିବାକୁ ମିଳୁନି। ବୋଧହୁଏ ଶଙ୍କାରେ ପଡିଛନ୍ତି ବିଜେଡି ସୁପ୍ରିମୋ । 

Advertisment

ନିର୍ବାଚନ ହାରିବାର ୬ ମାସ ବିତିଗଲା, ଏବେ ବି ଭଙ୍ଗା ହୋଇ ପଡିଛି ବିଜେଡି ସଙ୍ଗଠନ। ନୂଆ କମିଟିରେ ମୋହର ବାଜିପାରୁନି, କି ଦଳୀୟ କାର୍ୟ୍ୟକ୍ରମ ପୂର୍ବଭଳି ଆଗେଇ ପାରୁନି। କେବଳ ସମନ୍ବୟ କମିଟିରେ ଅଟକି ରହିଛି ସଙ୍ଗଠନର କାମ। ରାଜଧାନୀରେ ଦଳୀୟ ନେତା ବାହାସ୍ପୋଟ ମାରୁଥିବା ବେଳେ ତୃଣମୂଳ ସଙ୍ଗଠନ ଏକପ୍ରକାର ଦୋହଲିଗଲାଣି। କାରଣ ମୋଦୀଙ୍କ ୩ ଦିନିଆ ଗସ୍ତ ବିଜେପି ଶିବିରକୁ ଆକ୍ଟିଭ ମୋଡକୁ ଆଣିଛି। ତେଣୁ କିଭଳି ବିଜେପିକୁ ଚେକ୍ ଦେଇ ବିଜେଡି ଆଗକୁ ବଢିବ ତାହା ଏବେ ଦଳୀୟ ନେତୃତ୍ୱଙ୍କ ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। 

କର୍ମୀଙ୍କୁ ଦଳ ପ୍ରତିଶ୍ରୁତି ଦେଇଥିଲା, ସୁପ୍ରିମୋ ବୁଲିବେ, ସଙ୍ଗଠନରେ ସଞ୍ଜିବନୀ ଭରିବେ। କିନ୍ତୁ ନଭେମ୍ବର ପ୍ରତିଶ୍ରୁତିକୁ ଯେପରି ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି ନବୀନ। କିନ୍ତୁ ନବୀନ ଗ୍ରାଉଣ୍ଡକୁ ନ ଓହ୍ଲାଇବାକୁ ନେଇ ରାଜନୈତିକ ବିଶାରଦଙ୍କ କହିବା କଥା, 

-    ତୃଣମୂଳସ୍ତରରେ ସଙ୍ଗଠନ ଏଯାଏଁ ଟ୍ରାକକୁ ଆସିନି, 
-    ଅଧିକାଂଶ ନିର୍ବାଚନମଣ୍ଡଳୀରେ ଏବେ ବି ଗୋଷ୍ଠୀକନ୍ଦଳ ନିଆଁ ଥମିନି, ବିରୋଧର ଭୟ ରହୁଛି
-     କାହାକୁ ଭରସା କରି ମୈଦାନକୁ ଓହ୍ଲାଇବେ ନବୀନ ତାହା ଏଯାଏଁ ସ୍ଥିର ହୋଇପାରୁନି 
-    ରାଜ୍ୟସ୍ତରୀୟ କମିଟି ଗଠନ ପୂର୍ବରୁ ଜିଲ୍ଲା ଗସ୍ତ କରିବା ସପକ୍ଷରେ ନାହାନ୍ତି ବିଜେଡିର ଶୀର୍ଷ ନେତୃତ୍ୱ