କନକ ବ୍ୟୁରୋ: ଏବେ ରାଜନୀତି ଦୁନିଆରୁ ଆସିଛି ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଡୁଆ । ସେ ନିକଟରେ ଜାତି ଜନଗଣନାକୁ ନେଇ ଦେଇଥିବା ଏକ ବିବାଦୀୟ ବୟାନକୁ ନେଇ ଫସିଛନ୍ତି । ତାଙ୍କ ବିରୋଧରେ ଜାରି ହୋଇଛି ସମନ । ବରେଲିର ଏକ ସ୍ୱତନ୍ତ୍ର କୋର୍ଟ ରାହୁଲଙ୍କୁ ଜାନୁଆରୀ ୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। 

Advertisment

ଲୋକସଭା ନିର୍ବାଚନ ସମୟରେ କଂଗ୍ରେସ ଦଳ କ୍ଷମତାକୁ ଆସିଲେ ଆର୍ଥିକ ସର୍ଭେ କରାଯିବ ବୋଲି ରାହୁଲ କହିଥିଲେ । ଅଲ ଇଣ୍ଡିଆ ହିନ୍ଦୁ ମହାସଭାର ମଣ୍ଡଳ ସଭାପତି ପଙ୍କଜ ପାଠକ ଏହାକୁ ବିରୋଧ କରିଥିଲେ । ଏହାପରେ ସ୍ପେଶାଲ ଏମ୍‌ପି ଏମ୍‌ଏଲ୍‌ଏ କୋର୍ଟରେ ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ଦାୟର କରିବାକୁ ଆବେଦନ କରିଥିଲେ । କିନ୍ତୁ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ।ଏହାପରେ ସେ ସ୍ୱତନ୍ତ୍ର କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏଠାରେ ସେ ଏହି ପ୍ରସଙ୍ଗରେ ପିଟିସନ ନ ଦାଖଲ କରିଥିଲେ। ଏବେ ରାହୁଲ ଗାନ୍ଧିଙ୍କୁ ଏହି ମାମଲାରେ ତାଙ୍କ ପକ୍ଷ ରଖିବାକୁ କୋର୍ଟ ନୋଟିସ୍‌ ଜାରି କରିଛନ୍ତି। 

ଆସନ୍ତା ଜାନୁଆରୀ ୭ ତାରିଖରେ ଏହି ମାମଲାର ଶୁଣାଣି ହେବ। କହିରଖୁ ଯେ, ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି ନିଜର ଏକ ବୟାନରେ କହିଥିଲେ ଯେ, ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦେଶରେ ଜାତି ଜନଗଣନା ଓ ଆର୍ଥିକ ସର୍ବେକ୍ଷଣ କରାଯିବ। ତାଙ୍କର ଏହି ବୟାନକୁ ନେଇ ଅନେକ ହଙ୍ଗାମା ହୋଇଥିଲା। ବିଜେପି ଏହାକୁ ପ୍ରସଙ୍ଗ କରି ରାହୁଲଙ୍କୁ ଜୋରଦାର ଟାର୍ଗେଟ୍‌ କରିଥିଲା।