କନକ ବ୍ୟୁରୋ : ମହାନଦୀ ମହାବିବାଦ ନାଟକୀୟ ମୋଡ଼ ନେଇଛି । ବିବାଦର ଆପୋସ ସମାଧାନ ପାଇଁ ଉଭୟ ଓଡ଼ିଶା-ଛତିଶଗଡ଼ ସରକାରଙ୍କ ମଧ୍ୟରେ ଚିଠି ଦିଆ ନିଆ ହୋଇଛି । ପାଦେ ଆଗକୁ ଯାଇ ଓଡ଼ିଶା ସରକାର ଆଜି ଟ୍ରିବ୍ୟୁନାଲଙ୍କୁ ବି ଅବଗତ କରିଛନ୍ତି ଯେ ଆମେ ଆଲୋଚନା କରୁଛୁ । ବଦଳିଲା ସରକାର, ନୂଆ ମୋଡ଼ ନେଲା ମହାନଦୀ ମହାବିବାଦ । ପୂର୍ବ ସରକାରଙ୍କ ଭଳି ଟ୍ରିବ୍ୟୁନାଲକୁ ଭରସା ନ କରି ପଡ଼ୋଶୀ ରାଜ୍ୟ ସରକାରଙ୍କ ସହିତ ଏକାଠି ବସି ବିବାଦର ସମାଧାନ ଲାଗି ଅଣ୍ଟା ଭିଡ଼ିଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୫ ତାରିଖରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କୁ ଚିଠି ଲେଖି ୬ଟି କଥା ଜଣାଇଛନ୍ତି । 

Advertisment

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ମାର୍ଚ୍ଚ ମାସରେ ଆମ ଭିତରେ ଆପୋସ ଆଲୋଚନାରେ ମହାନଦୀ ବିବାଦର ସମାଧାନ ନିଷ୍ପତ୍ତି ହୋଇଥିଲା । ଏହା ପୂର୍ବରୁ ଫେବ୍ରୁଆରିରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଉପସ୍ଥିତିରେ ହୋଇଥିଲା ଅନୁରୂପ ଆଲୋଚନା । ଜୁଲାଇ ୧୦ରେ କେନ୍ଦ୍ର ଗୃହମନ୍ତ୍ରୀ ଉଭୟ ରାଜ୍ୟ ବିବାଦର ଆପୋସ ସମାଧାନ ଉପରେ ଦେଇଥିଲେ ଗୁରୁତ୍ବ । ଏସବୁକୁ ଗ୍ରହଣ କରି ମୁଁ କେନ୍ଦ୍ରୀୟ ଜଳ କମିସନଙ୍କ ନେତୃତ୍ବରେ ଏକ ଯୁଗ୍ମ କମିଟି ଗଠନର ପ୍ରସ୍ତାବ ଦେଉଛି । ଉଭୟ ରାଜ୍ୟର ବୈଷୟିକ ଅଧିକାରୀ ଓ ବିଭାଗୀୟ ମୁଖ୍ୟ ବସି ଆଲୋଚନାରେ ସମାଧାନର ରାସ୍ତା କାଢ଼ିବେ ।

ଆଜି ମହାନଦୀ ଟ୍ରିବ୍ୟୁନାଲ ଶୁଣାଣିର ଅବ୍ୟବହିତ ପୂର୍ବରୁ ମୋହନଙ୍କ ଏଭଳି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ଶୁକ୍ରବାର ଚିଠିର ପ୍ରତ୍ୟୁତ୍ତର ଦେଇ ଓଡ଼ିଶା ସରକାରଙ୍କୁ ଜଣାଇଛନ୍ତି ଯେ ସେମାନେ ବି ଆଲୋଚନା ପାଇଁ ପ୍ରସ୍ତୁତ । ୭ବର୍ଷ ପରେ ଟ୍ରିବ୍ୟୁନାଲ ଶୁଣାଣିରେ ଲାଗିଲା ସାମୟିକ ରୋକ । ବିଜେପି ଶାସିତ ଉଭୟ ରାଜ୍ୟ ବିବାଦରୁ ଦୂରେଇ ହାତ ମିଳାଇଲେ । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହମତି କ୍ରମେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ନୂଆ ରୂପ ନେଇଛି । ଉଭୟ ରାଜ୍ୟ ମଧ୍ୟରେ ଆପୋସ ସମାଧାନ ସଂପର୍କରେ ଓଡ଼ିଶାର ଆଡ଼ଭୋକେଟ୍ ଜେନେରାଲ ଟ୍ରିବ୍ୟୁନାଲଙ୍କୁ ଅବଗତ କରିଛନ୍ତି । ଫଳରେ ଶୁଣାଣି ସେପ୍ଟେମ୍ବର ୬ ତାରିଖକୁ ଘୁଞ୍ଚିଛି । 

ହେଲେ ପ୍ରଶ୍ନ ଉଠୁଛି..

ଛତିଶଗଡ଼ ସରକାରଙ୍କ ସାମ୍ନାରେ କଣ ଯୁକ୍ତି ରଖିବ ଓଡ଼ିଶା? 
ଆଲୋଚନା ପାଇଁ ଏଜେଣ୍ଡା ପ୍ରସ୍ତୁତ କଲେଣି କି ସରକାର?
ଆଲୋଚନା ପୂର୍ବରୁ ସର୍ତ୍ତ ସାର୍ବଜନୀନ କରିବେ କି ମୋହନ ସରକାର?  

ଏହି ମାମଲାରେ ଆଉ ତିନିଟି ରାଜ୍ୟ ମଧ୍ୟ ପକ୍ଷଭୁକ୍ତ ଅଛନ୍ତି । ମହାରାଷ୍ଟ୍ର,ମଧ୍ୟପ୍ରଦେଶ. ଝାଡଖଣ୍ଡ ସରକାର ମଧ୍ୟ ଶୁଣାଣିରେ ସାମିଲ ହୋଇଥିଲେ । ଏବେ ଓଡ଼ିଶା ଓ ଛତିଶଗଡ ଏକାଠି ବସି ନିଷ୍ପତ୍ତି ନେବାକୁ ଅଣ୍ଟା ଭିଡ଼ିଛନ୍ତି । ହେଲେ ଏହି ତିନି ରାଜ୍ୟର ଭୂମିକା କଣ ହେବ, ତାହା ସ୍ଥିର ହୋଇନାହିଁ ବା କେହି ସାମ୍ନାକୁ ଆଣିନାହାନ୍ତି ।