ban chicken neck Photograph: (KANAK NEWS)
କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ 'ଚିକେନ୍ ନେକ୍' । ଆପଣମାନେ ଭାବୁଥିବେ ଏ 'ଚିକେନ୍ ନେକ୍' କ'ଣ? ଆଉ ଏହାକୁ ନେଇ ଏତେ ଚର୍ଚ୍ଚା କ'ଣ ପାଇଁ? ସତରେ କ'ଣ ଭାରତର ଗୋଟିଏ କୁକୁଡ଼ା ବେକ ଅଛି? ନା ଏହା ପଛର ସତ ଆଉ କିଛି?
ଅସଲ କଥା ହେଉଛି ଭାରତର ସିଲିଗୁଡ଼ି କରିଡରକୁ 'ଚିକେନ୍ ନେକ୍' କୁହାଯାଏ । ଯାହାକି ହେଉଛି ପଶ୍ଚିମବଙ୍ଗର ଏକ ସଂକୀର୍ଣ୍ଣ ଅଞ୍ଚଳ । ଏହା ପୂର୍ବୋତ୍ତର ଭାରତ ଯେପରିକି ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଆଉ ମେଘାଳୟକୁ ଭାରତର ମୁଖ୍ୟଭୂମି ସହିତ ଯୋଡ଼ିଥାଏ । ହେଲେ ଏବେ ଏହି 'ଚିକେନ୍ ନେକ୍' ଉପରେ କିନ୍ତୁ ବାଂଲାଦେଶ ଆଉ ଚୀନର ଆଖି ।
/kanak/media/post_attachments/h-upload/2025/05/16/1712612-1605-epaper-chicken-neck-937559.jpg)
ଅନେକ ସମୟରେ କୁହାଯାଏ, ଯଦି କେବେ ଭାରତ-ବାଂଲାଦେଶ ଭିତରେ ଯୁଦ୍ଧ ଭଳି ସ୍ଥିତି ଉପୁଜେ, ତେବେ ବାଂଲାଦେଶ ଭାରତର 'ଚିକେନ୍ ନେକ୍'କୁ ଟାର୍ଗେଟ୍ କରିବ । କାହିଁକି ନା, ୨୨ କିଲୋମିଟର ଚଉଡ଼ା ବିଶିଷ୍ଟ ଏହି ଅଞ୍ଚଳକୁ ଅକ୍ତିଆର କରିଦେଲେ ହିଁ, ଭାରତର ଏକାଧିକ ରାଜ୍ୟ ଭାରତର ମୂଳ ଭୂ-ଖଣ୍ଡରୁ ଅଲଗା ହୋଇଯିବେ । ଆଉ ଏଭଳି ଚର୍ଚ୍ଚା ଭିତରେ, ଚୀନ ଏବଂ ବାଂଲାଦେଶ ଭାରତର ଏହି 'ଚିକେନ୍ ନେକ୍' ପାଖରେ ବନ୍ଦ ହୋଇ ପଡ଼ିଥିବା ଏକ ଏୟାରଫିଲ୍ଡକୁ ପୁଣିଥରେ ଖୋଲିବା ନେଇ କଥାବାର୍ତ୍ତା ଆରମ୍ଭ କରିଛନ୍ତି । ଏମିତି କି ଚୀନର କିଛି ଅଫିସର ମଧ୍ୟ ବାଂଲାଦେଶ ଯାଇ ଏହି ଏୟାରଫିଲ୍ଡର ଯାଞ୍ଚ କରିଛନ୍ତି । ଯାହାପରେ ପୁଣିଥରେ ଚର୍ଚ୍ଚାକୁ ଆସିଛି ଭାରତର 'ଚିକେନ୍ ନେକ୍' ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ପ୍ରସଙ୍ଗରେ ଟୁଇଟ୍ କରିବା ସହିତ ଲେଖିଛନ୍ତି, ଯେଉଁ ଲୋକମାନେ 'ଚିକେନ୍ ନେକ୍ କରିଡର୍'କୁ ନେଇ ଭାରତକୁ ଧମକ ଦେଉଛନ୍ତି, ସେମାନେ ଧ୍ୟାନ ଦେବା ଉଚିତ ଯେ, ବାଂଲାଦେଶରେ ମଧ୍ୟ ଏମିତି ଦୁଇଟି ଜାଗା ଅଛି, ଯାହା ଅଧିକ ଅସୁରକ୍ଷିତ ଅଟେ । ବାଂଲାଦେଶର ଦୁଇଟି ସମ୍ବେଦନଶୀଳ କରିଡରର ଫଟୋ ସେୟାର୍ କରିବା ସହିତ ଆସାମ ମୁଖ୍ୟମନ୍ତ୍ରୀ ଏହି ପୋଷ୍ଟ କରିଛନ୍ତି ।
ଏହି ପୋଷ୍ଟରେ ଉଲ୍ଲେଖ ଅଛି ଯେ, ବାଂଲାଦେଶର ମଧ୍ୟ ଦୁଇଟି ଚିକେନ୍ ନେକ୍ ଭଳି ସ୍ଥାନ ଅଛି । ଯାହା ମଧ୍ୟରୁ ଗୋଟିଏର ଦୂରତା ୨୮ କିଲୋମିଟର ହୋଇଥିବାବେଳେ, ଅନ୍ୟଟିର ଦୂରତା ୮୦ କିଲୋମିଟର । ତେଣୁ ଯଦି ବାଂଲାଦେଶ ଭାରତକୁ 'ଚିକେନ୍ ନେକ୍' କରିଡର୍ କବଜା କରିବା ନେଇ ଧମକ ଦିଏ, ତେବେ ଭାରତ ମଧ୍ୟ ବାଂଲାଦେଶର ଏହି ଦୁଇ 'ଚିକେନ୍ ନେକ୍'କୁ ଟାର୍ଗେଟ୍ କରିପାରେ ବୋଲି ପରୋକ୍ଷରେ ଇସାରା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।
ଉତ୍ତର ବାଂଲାଦେଶ କରିଡର
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସେୟାର କରିଥିବା ଫଟୋରେ ଏହି ଉତ୍ତର ବାଂଲାଦେଶ କରିଡର୍ ବିଷୟରେ ଉଲ୍ଲେଖ କରିଛନ୍ତି । ଯାହାକି ପଶ୍ଚିମବଙ୍ଗ ଏବଂ ମେଘାଳୟ ମଝିରେ ରହିଛି । ଏହାର ଦୂରତା ପାଖାପାଖି ୮୦ କିଲୋମିଟର ହୋଇଥିବାବେଳେ, ଏହା ବାଂଲାଦେଶକୁ ଦୁଇ ଭାଗ କରିବାକୁ ସକ୍ଷମ ଅଟେ । ଏହି ଅଞ୍ଚଳରେ ବାଂଲାଦେଶର ପାଖାପାଖି ୨ କୋଟି ଲୋକ ବସବାସ କରୁଛନ୍ତି ।
ଚଟଗାଁଓ କରିଡର୍
ସେହିପରି ଆସାମ ମୁଖ୍ୟମନ୍ତ୍ରୀ ଉତ୍ତର ବାଂଲାଦେଶ କରିଡର ସହିତ ଚଟଗାଁଓ କରିଡର୍ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ଯାହାକି ବାଂଲାଦେଶର ଆଉ ଏକ 'ଚିକେନ୍ ନେକ୍' । ଏହାର ଲମ୍ବ ପାଖାପାଖି ୨୮ କିଲୋମିଟର ହୋଇଥିବାବେଳେ ଭାରତର ମିଜୋରାମ ଏବଂ ତ୍ରିପୁରା ରାଜ୍ୟ ସହ ଲାଗି ରହିଛି । ଏହା ମଧ୍ୟ ବାଂଲାଦେଶକୁ ଦୁଇ ଭାଗ କରିବାକୁ ସକ୍ଷମ ଅଟେ ।
କାହିଁକି ଚର୍ଚ୍ଚାରେ 'ଚିକେନ୍ ନେକ୍'?
ଅସଲ କଥା ହେଉଛି, ବାଂଲାଦେଶ ଭାରତର ସିଲିଗୁଡ଼ି କରିଡରଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଥିବା ଏକ ଏୟାରଫିଲ୍ଡକୁ ପୁଣିଥରେ ଖୋଲିବାକୁ ଯୋଜନା କରୁଛି । ଯାହାକି ୧୯୩୧ରେ ବନାଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହାର ବ୍ୟବହାର କରାଯାଇଥିବାବେଳେ, ପାକିସ୍ତାନ ବିଭାଜନ ପରେ ଏହା ବାଂଲାଦେଶ ଅଧୀନକୁ ଆସିଥିଲା । ହେଲେ ପରିତ୍ୟକ୍ତ ହୋଇ ପଡ଼ିଥିବା ଏତେ ବଡ଼ ଏୟାରଫିଲ୍ଡକୁ ପୁଣିଥରେ କାମରେ ଲଗାଇବାକୁ ଯୋଜନା କରୁଛି ବାଂଲାଦେଶର ୟୁନୁସ୍ ସରକାର । ହେଲେ ସୀମାର ଏତେ ନିକଟରେ ବାଂଲାଦେଶର ଏହି ଏୟାରଫିଲ୍ଡ ପ୍ଲାନ୍ କିନ୍ତୁ, ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।
/kanak/media/post_attachments/media/GrTp0LoXwAABrEw-143519.jpg:large)
ପାକିସ୍ତାନ ସହ ବିଗୁଡୁଥିବା ସମ୍ପର୍କ ଭିତରେ, କେଉଁଠି ନା କେଉଁଠି ବାଂଲାଦେଶ ସହ ଭାରତର ସମ୍ପର୍କ ମଧ୍ୟ ଖରାପ ହେଉଛି । ଆଉ ଏହା ପଛର କାରଣ ହେଉଛି ପାକିସ୍ତାନକୁ ବାଂଲାଦେଶର ସମର୍ଥନ । ତେଣୁ ବାଂଲାଦେଶ ମଧ୍ୟ ଏବେ ଗୋଟିଏ ପରେ ଗୋଟିଏ, ଭାରତ ବିରୋଧୀ ପଦକ୍ଷେପ ନେବାରେ ଲାଗିପଡ଼ିଲାଣି । ଆଉ ଏ ସବୁ ଭିତରେ ଭାରତ ସରକାର ବାଂଲାଦେଶକୁ ଚେକ୍ ଦେବା ପାଇଁ ଆଗାମୀ ଦିନରେ କେଉଁ ରଣନୀତି ଆପଣାଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।
Follow Us