କନକ ବ୍ୟୁରୋ: ବାତ୍ୟା ‘ଦାନା’ ପ୍ରଭାବରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି । ବିଶେଷକରି ବାଲେଶ୍ୱର ଜିଲ୍ଲାରେ ଦେଖିବାକୁ ମିଳିଛି ବନ୍ୟାର ବିଭୀଷିକା । କାଂଶବାଂଶ ନଦୀ ଜଳସ୍ତର ବିପଦସଙ୍କୁଳ ପାର କରିଥିବା ବେଳେ ଭୟଭୀତ ନଦୀ କୂଳିଆ ଲୋକ । ସୋର ବ୍ଲକ ତଳନଗର ପଂଚାୟତ ସୁନାରୀ, ଅସ୍ତବାଙ୍କ, ସାଲମପୁର, ଅଙ୍କୁରଖାର୍ଜୀ, ଚାଉଳି ସବିରା, ପଦନପଡା, ଭଡ୍ରାଗଡ଼ିଆ, ରହଣିଆ ଆଦି ଗାଁ ଜଳାର୍ଣ୍ଣବ। ଶିମିଳିପାଳରେ ବର୍ଷା ହେବାରୁ ବୁଢାବଳଙ୍ଗ ପ୍ରଭାବିତ ହୋଇଛି । ବନ୍ୟାପାଣି ପ୍ରବେଶ କରିବାରୁ ସଦର ବ୍ଲକର ୧୧ଟି ପଞ୍ଚାୟତର ହଜାର ହଜାର ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛି ।
ସେପଟେ ବାତ୍ୟା ଦାନାରେ ଉଜୁଡି ଯାଇଛି ଚାଷୀଙ୍କ ବର୍ଷକର ପରିଶ୍ରମ । ଦାନାପାଣି ହରାଇ ହତାସ ହୋଇପଡ଼ିଛନ୍ତି ଚାଷୀ । ଔପଦା ବ୍ଲକରେ ବ୍ୟାପକ ଚାଷ ନଷ୍ଟ ହୋଇଥିବା ବେଳେ କେମିତି ଋଣ ଶୁଝିବେ, ତାକୁ ନେଇ ଚିନ୍ତା ବଢ଼ିଛି ।
କିଛି ସ୍ଥାନରେ ବନ୍ୟା ଜଳ ଛାଡ଼ିବା ପରେ ଦୁର୍ଦ୍ଦଶା ଅଧିକ ବଢ଼ିଯାଇଛି । ରେମୁଣା ବ୍ଲକ ସିଜୁଆ ଓ ବେଗୁନିଆରେ ସ୍ଥିତି ସଂଗୀନ ହୋଇପଡ଼ିଛି । ପାଣି ଶୁଖିଛି, ହେଲେ ଅବସ୍ଥା ନକହିଲେ ସରେ । ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ପୂରା ସ୍ଥିତି ସୁଧୁରିବା ପାଇଁ ଆଉ କିଛି ସମୟ ଲାଗିବ ।
କେବଳ ବାଲେଶ୍ୱର ନୁହେଁ, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରେ ମଧ୍ୟ ବର୍ଷା ଅଧିକ ହୋଇଛି । ଜଳମଗ୍ନ ହୋଇଥିବା ସ୍ଥାନ ତଦାରଖ କରୁଛନ୍ତି ସ୍ଥାନୀୟ ପ୍ରଶାସନ । ତେବେ ଆସନ୍ତାକାଲିଠାରୁ ସ୍ଥିତିରେ ସୁଧାର ଆସିବ ବୋଲି ସୂଚନା ଦେଇଛି ଜଳ ସମ୍ପଦ ବିଭାଗ ।