କନକ ବ୍ୟୁରୋ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ସବୁବେଳେ ଖବରର ଶିରୋନାମାରେ ରହିଥାଆନ୍ତି । ଏଥର ସେ ନିଜର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ପରିସରରେ ରହିଛନ୍ତି  । କିନ୍ତୁ ଏଥର ତାଙ୍କର ଚର୍ଚ୍ଚାରେ ରହିବାର କାରଣ ଟିକେ ଅଜବ । କିମ୍ ଚୀନର ବିଜୟ ଦିବସ ପରେଡରେ ଭାଗ ନେବା ପାଇଁ ବେଜିଂରେ ପହଞ୍ଚିଥିଲେ । ଏହି ଅବସରରେ ସେ ବେଜିଂରେ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିଥିଲେ । ଏ ପର୍ଯ୍ୟନ୍ତ ସବୁକିଛି ଠିକ୍ ଥିଲା, କିନ୍ତୁ ଯେମିତି ମିଟିଂ ଶେଷ ହେଲା, କିମ୍‌ଙ୍କ ଅଧିକାରୀମାନେ ତାଙ୍କ DNAର ପ୍ରତ୍ୟେକ ଚିହ୍ନକୁ ଲିଭାଇବା ଆରମ୍ଭ କରିଥିଲେ ।

Advertisment

 ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଯେମିତି କିମ୍ ଭ୍ଲାଦିମିର ପୁଟିନଙ୍କ ସହ ବୈଠକ ଶେଷ କଲେ, ତାଙ୍କ ସୁରକ୍ଷା ଦଳର ଦୁଇଜଣ ସଦସ୍ୟ ଫୋରେନ୍ସିକ୍ ଡିକଣ୍ଟାମିନେସନ୍ କରିବା ପାଇଁ ସେହି ଚୌକି ପାଖକୁ ଯାଇଥିଲେ । ମିଟିଂ ଶେଷ ହେବା ମାତ୍ରେ ସେମାନେ ତୁରନ୍ତ ଦୌଡ଼ି ଯାଇ ସେହି ଚୌକି ଏବଂ ପାଖରେ ଥିବା ଟେବୁଲକୁ ପୋଛିବାକୁ ଲାଗିଲେ ଯେଉଁଥିରେ କିମ୍ ବସିଥିଲେ । ମିଟିଂ ସମୟରେ ଯେଉଁ ଗ୍ଲାସ୍‌ରେ ପାଣି ପିଇଥିଲେ ଜଣେ ମହିଳା କର୍ମଚାରୀ ସେହି ଗ୍ଲାସ ନେଇ ଚାଲିଗଲେ । ସେହିପରି ଆଉ ଜଣେ ବ୍ୟକ୍ତି ଏହି ସ୍ଥାନରୁ କିମ୍‌ଙ୍କ DNAର ପ୍ରତ୍ୟେକ ପ୍ରମାଣକୁ ଲିଭାଇବା ପାଇଁ ଏକ ଆଣ୍ଟିବ୍ୟାକ୍ଟେରିଆଲ୍ ୱାଇପ୍ ବ୍ୟବହାର କରୁଥିଲେ । ଏମିତି କି କିମ୍‌ଙ୍କ ଟିମ୍ ଚୌକିରୁ ଝାଳ ମଧ୍ୟ ପୋଛି ଦେଇଥିଲେ ।

ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ, ୟୁନାସେଭ୍ ଲାଇଭ୍ କହିଛି, 'ବୈଠକ ପରେ, କର୍ମଚାରୀମାନେ କିମ୍‌ଙ୍କ ଉପସ୍ଥିତିର ସମସ୍ତ ଚିହ୍ନକୁ ସାବଧାନତାର ସହ ଲିଭାଇ ଦେଇଛନ୍ତି । ସେମାନେ ସେହି ଗ୍ଲାସ୍ ନେଇଥିଲେ ଯେଉଁଥିରୁ ସେ ପାଣି ପିଇଥିଲେ, ଚୌକିର ଗଦି ଏବଂ ଆସବାବପତ୍ରର ସେହି ଅଂଶଗୁଡ଼ିକୁ ପୋଛି ଦେଇଥିଲେ ଯାହାକୁ କୋରିଆର ସୁପ୍ରିମୋ  ଛୁଇଁଥିଲେ ।' ପୁଟିନ ଏବଂ କିମ୍ ବେଜିଂର ମିଟିଂ ରୁମ୍‌ ବାହାରେ ଏକ ସୌଜନ୍ୟମୂଳକ  କଥାବାର୍ତ୍ତା ପୂର୍ବରୁ ନିଜ ନିଜ ପ୍ରତିନିଧିମଣ୍ଡଳୀ ସହ ୯୦ ମିନିଟର ଏକ ସରକାରୀ ଦ୍ୱିପାକ୍ଷିକ ବୈଠକ କରିଥିଲେ । ବର୍ତ୍ତମାନ କିମ୍ ଜଙ୍ଗ୍‌ ଉନ୍‌ଙ୍କ ଏଭଳି ବ୍ୟବହାର  ଦେଖି ଲୋକେ ଆଲୋଚନା କରୁଛନ୍ତି ଯେ ଏହା ସୁରକ୍ଷା ବ୍ୟବସ୍ଥା ନା ସେ ଭୟରେ ବଞ୍ଚୁଛନ୍ତି ?

ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ଏଭଳି ଘଟିସାରିଛି । 'ନିକ୍କେଇ ଏସିଆ'ର ଏକ ରିପୋର୍ଟରେ ଜାପାନ ଏବଂ ଦକ୍ଷିଣ କୋରିଆର ସୂତ୍ରରୁ ଜଣାପଡ଼ିଥିଲା ଯେ କିମ୍ ଜୋଙ୍ଗ୍ ଉନ୍ ନିଜ ଯାତ୍ରା ସମୟରେ ବିଶେଷ ସାବଧାନତା ଅବଲମ୍ବନ କରନ୍ତି । ତାଙ୍କର DNA ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ବାହାରକୁ ଯେପରି ନଯିବ ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତି । ସେଥିପାଇଁ ସେ ନିଜ ସହିତ ପୋର୍ଟେବଲ୍ ଟଏଲେଟ୍ ନେଇ ଯାଆନ୍ତି । ତାଙ୍କ ସହିତ ଜଡିତ ପ୍ରତ୍ୟେକ ଜିନିଷ, ଯେପରିକି କେଶ ଏବଂ ମଳକୁ ସିଲ୍ କରିବା ପାଇଁ ବିଶେଷ ପ୍ରୟାସ କରାଯାଏ । ତେଣୁ ଏହା କିମ୍‌ଙ୍କ ଏକ ନିୟମିତ ସୁରକ୍ଷା ପ୍ରୋଟୋକଲ୍ ଯାହା ବିଶେଷ କରି ଜୈବିକ ଡାଟା (DNA)ର ସୁରକ୍ଷା ପାଇଁ ଅନୁସରଣ କରାଯାଏ ।