କନକ ବ୍ୟୁରୋ : ପଞ୍ଜାବରେ ବନ୍ୟା ପରିସ୍ଥିତି ଜାରି ରହିଛି । ଫଳରେ ୨୩ଟି ଜିଲ୍ଲାରେ ୧୪ ଶହରୁ ଅଧିକ ଗାଁ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୩.୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ପଞ୍ଜାବ ରାଜ୍ୟପାଳ ଆକାଶମାର୍ଗରୁ ସ୍ଥିତିର ସମୀକ୍ଷା କରିଛନ୍ତି । ସତ୍‌ଲେଜ୍‌, ବ୍ୟାସ୍ ଏବଂ ରାଭି ନଦୀରେ ପାଣି ବଢ଼ିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବନ୍ୟାରେ ୩୭ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୧ ଦଶମିକ ୭୫ ଲକ୍ଷ ଏକର ଚାଷଜମି ନଷ୍ଟ ହୋଇଛି । ପଞ୍ଜାବର ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆ ଏନେଇ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି ।

Advertisment

ସେପଟେ ପ୍ରୟାଗରାଜରେ ବନ୍ୟା ପରିସ୍ଥିତି । ପାଣି ବଢ଼ିବା ଫଳରେ ବଡ଼ ହନୁମାନ ମନ୍ଦିର ବୁଡ଼ିଯାଇଥିବା ଦେଖିବାକୁ ମିଳିଛି । ସଙ୍ଗମ୍ ଘାଟ୍, ଦଶାଶ୍ୱମେଧ ଘାଟ, ଦ୍ରୌପଦୀ ଘାଟ ଆଦି ଜାଗା ବନ୍ୟା ପାଣିରେ ବୁଡ଼ି ଯାଇଛି । ସେପଟେ ଜମ୍ମୁ କାଶ୍ମୀରରେ ବନ୍ୟା ଫଳରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ୍‌ଗୁଡ଼ିକ ବନ୍ଦ ରହିଥିଲା । ଆଜି ସ୍କୁଲ୍ ଖୋଲିଥିବା ଜଣାପଡ଼ିଛି । ଏହା ପୂର୍ବରୁ ୧୭ ଦିନ ଧରି ଅର୍ଥାତ୍ ଅଗଷ୍ଟ ୨୪ ତାରିଖରୁ ବନ୍ୟା ଓ ଭାରୀବର୍ଷା ପାଇଁ ବନ୍ଦ ରହିଥିଲା ସ୍କୁଲ୍ ।