କନକ ବ୍ୟୁରୋ : ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ଲୋକଙ୍କ ଧ୍ୟାନ ଦେଶର ସୁନ୍ଦରତା ଆଡ଼କୁ ଟାଣିନିଏ । ଏବେ ଏବେ ସେ ମେଘାଳୟର ଏକ ଛୋଟ ଗାଁର ଛବି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ଯାହାର କ୍ୟାପସନରେ ସେ ଲେଖିଛନ୍ତି ନନଗିରୋଙ୍ଗ ଗାଁର ଫଟୋ ଓ ଭିଡିଓ ସେୟାର କରିଛନ୍ତି । ନନଗିରୋଙ୍ଗ ମେଘାଳୟର ପୂର୍ବ ଖାସି ପାହାଡ଼ ଉପରେ ଥିବା ଏକ ଗାଁ । ଏହି ଗାଁ ଏତେ ଉଚ୍ଚତାରେ ବସିଛି କି, ଦୂରରୁ ଦେଖିଲେ ଏହି ଗାଁ ଟି ସମ୍ପୂର୍ଣ୍ଣ ବାଦଲ ଭିତରେ ଥିବା ଭଳି ଲାଗୁଛି । ଭାରତର ଏଭଳି ଏକ ନିଆରା ସ୍ଥାନ ବାବଦରେ ବହୁତ କମ୍ ଲୋକ ଜାଣିଛନ୍ତି ।
ଆନନ୍ଦ ମହିନ୍ଦ୍ରା ଏହି ଗାଁର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ନନଗିରୋଙ୍ଗ ଏବେ ଚର୍ଚ୍ଚାକୁ ଆସିଛି । ଏହି ଗାଁ ବାସ୍ତବରେ ଏଭଳି ଏକ ପ୍ରକୃତିର ସ୍ୱର୍ଗ ଯାହା ଦେଶ ଦୁନିଆର ବହୁତ କମ୍ ଲୋକ ଜାଣିଛନ୍ତି ।
ଏହି ଗାଁ ଶିଲଙ୍ଗରୁ ପାଖାପାଖି ୬୦ କିଲୋମିଟର ଦୂରରେ ଅବସ୍ଥିତ । ଏଠାକୁ ପର୍ଯ୍ୟଟକମାନେ ସଡ଼କ ପଥରେ ସହଜରେ ପହଂଚିପାରିବେ । ଏହାର ନିକଟତମ ବିମାନବନ୍ଦର ହେଉଛି । ଗୌହାଟି । ଯାହାକି ୧୦୦ କିଲୋମିଟର ଦୂରରେ ଅବସ୍ଥିତ ।
୨୦୧୧ ଜନଗଣନା ମୁତାବକ ଏହି ଗାଁର ମୋଟ ଜନସଂଖ୍ୟା ୧୪୪୦ ଜଣ । ଏହି ଗାଁରେ ରହୁଥିବା ସର୍ବାଧିକ ଲୋକ ଖାସି ସମ୍ପ୍ରଦାୟର । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଗାଁରେ ରହୁଥିବା ଲୋକଙ୍କ ମଧ୍ୟରେ ସାକ୍ଷରତା ହାର ମାତ୍ର ୪୧.୬୭ ପ୍ରତିଶତ । ସେମାନଙ୍କ ମଧ୍ୟରୁ ମହିଳା ସାକ୍ଷରତା ହାର ୨୯.୩୧ ପ୍ରତିଶତ ହୋଇଥିବା ବେଳେ ପୁରୁଷ ସାକ୍ଷରତା ହାର ମାତ୍ର ୫୪.୬୨ ପ୍ରତିଶତ ।
ନନଗିରୋଙ୍ଗ ଗାଁର ସୂର୍ଯ୍ୟଉଦୟ ବେଶ୍ ମନୋରମ । ଯେତେବେଳେ ପୂରା ଘାଟି କ୍ଷେତ୍ର ବାଦଲରେ ଆଚ୍ଛାଦିତ ହୋଇଥାଏ ସେତେବେଳେ ଏହି ଗାଁ ଟି ବାଦଲ ଭିତରେ ଥିବା ଭଳି ମନେହୁଏ । ଏଠାକୁ ବିଶେଷ କରି ଅକ୍ଟୋବରରୁ ଫେବୃଆରୀ ମଧ୍ୟରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ ।