କନକ ବ୍ୟୁରୋ: ଏଣିକି ଫିଟନେସ୍ ନଥିଲେ ରାସ୍ତାରେ ଗଡ଼ିପାରିବନି ଗାଡ଼ି । କଟକରେ ଆରମ୍ଭ ହୋଇଛି ଅଟୋମେଟେଡ଼ ଟେଷ୍ଟିଂ ଷ୍ଟେସନ ବା ଏଟିଏସ ବ୍ୟବସ୍ଥା । ପ୍ରଥମ ଦିନରେ ୭୩ ଗାଡ଼ି ଯାଞ୍ଚ କରାଯାଇଛି । ରାଜ୍ୟରେ ପ୍ରଥମ ଥର କଟକରେ ଆରମ୍ଭ ହୋଇଥିବା ଏଟିଏସ୍ ବ୍ୟବସ୍ଥାରେ ଗତକାଲି ଠାରୁ ତ୍ରୁଟିଶୂନ୍ୟ ପରୀକ୍ଷା କରାଯାଇଛି । ଚାରି ଚକିଆରୁ ଦଶ ଚକିଆ ଗାଡ଼ି ଏହି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ପ୍ରଥମ ଦିନରେ ପରିବହନ କମିଶନର ଅମିତାଭ ଠାକୁର ନରାଜ ସ୍ଥିତ ଏହି କେନ୍ଦ୍ର ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
କେନ୍ଦ୍ରୀୟ ମୋଟରଯାନ ନିୟମ ଅନୁଯାୟୀ ଗାଡ଼ିର ଫିଟନେସ ପରୀକ୍ଷା ପାଇଁ ଏଟିଏସ ବ୍ୟବସ୍ଥା କାର୍ୟ୍ୟକାରୀ କରାଯାଇଛି । ଖୁବଶୀଘ୍ର ରାଜ୍ୟରେ ଆହୁରି ୨୧ ଟି ସ୍ଥାନରେ ଏହି ଏଟିଏସ ସ୍ଥାପନ କରାଯିବ । ପୂର୍ବରୁ ଫିଟନେସ ସାର୍ଟିଫିକେଟ ତଥା ଗାଡ଼ିର ପଞ୍ଜୀକରଣ ନବୀକରଣ ଅଧିକାରୀଙ୍କ ମାଧ୍ୟମରେ ମୂଲ୍ୟାୟନ ଆଧାରରେ ଏହା କରାଯାଉଥିଲା । ଏହି ପରୀକ୍ଷଣ ବ୍ୟବସ୍ଥାକୁ ସ୍ବଚ୍ଛତାର ସହ କରିବାକୁ ଫିଟନେସ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଥିଲା । ସେଥିପାଇଁ ଏଟିଏସ୍ ମାଧ୍ୟମରେ ରାସ୍ତାକୁ ଯିବା ପାଇଁ ଯୋଗ୍ୟ ନଥିବା ଗାଡ଼ିଗୁଡ଼ିକ ସ୍ବୟଂକ୍ରିୟ ପଦ୍ଧତିରେ ବାଦ୍ ପଡ଼ିବେ । ଯାହା ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ସହାୟକ ହେବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି ।