କନକ ବ୍ୟୁରୋ: ଶିକ୍ଷକ ଅଭାବରୁ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଛାତ୍ରଛାତ୍ରୀଙ୍କ ବିରୋଧ । ସ୍କୁଲରେ କ୍ଲାସ ଚାଲିଛି କିନ୍ତୁ ବାରଣ୍ଡାରେ ବସିଛନ୍ତି ଛାତ୍ରଛାତ୍ରୀ । ଏଭଳି ଚିତ୍ର କୌଣସି ଉପାନ୍ତ ଅଞ୍ଚଳରୁ ନୁହେଁ, ବରଂ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ଭୁବନେଶ୍ୱର ରେଲୱେ କଲୋନୀ ୟୁପି ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବାକୁ ଶିକ୍ଷକଙ୍କ ଅଭାବ ରହିଛି । ସଭିଏଁ ପଢ଼ିବେ ନାରା ଦେଉଛନ୍ତି ରାଜ୍ୟ ସରକାର । ତା ସହିତ ରାଜ୍ୟ ସରକାର ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ପାଳନ କରୁଥିବା ବେଳେ ଏଠାରେ ୧୩୦ ପିଲାଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହେବାକୁ ବସିଛି । ଷଷ୍ଠ, ସପ୍ତମ ଶ୍ରେଣୀର ସ୍କୁଲ ବନ୍ଦ କରିବା ନିଷ୍ପତ୍ତି ନେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ ବିଦ୍ୟାଳୟରେ ପଢ଼ୁଛନ୍ତି । କେବଳ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ୧୩୦ ଛାତ୍ରଛାତ୍ରୀ ପଢ଼ିଥାନ୍ତେ ଅଥଚ ବିଦ୍ୟାଳୟ କର୍ତ୍ତୃପକ୍ଷ ବିନା କୌଣସି ନୋଟିସରେ ଦୁଇଟି ଶ୍ରେଣୀ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ଅନ୍ୟପକ୍ଷରେ ରେଲୱେ ପକ୍ଷରୁ ଜମି ଯୋଗାଇ ଦିଆଯାଇଛି । ବିଲ୍‌ଡିଂ ନିର୍ମାଣ ହୋଇଛି । ବିଦ୍ୟୁତ୍ ଓ ପାଣି ସଂଯୋଗ ଓ ବିଲ୍ ପୈଠ ବି ରେଲୱେ କରୁଛି । ତା'ସତ୍ତ୍ୱ ମଧ୍ୟ କାହା ସ୍ୱାର୍ଥରେ ରେଲୱେ କଲୋନି ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି ।