କନକ ବ୍ୟୁରୋ : ଅନ୍ଧାର ରାତି । ଚାରିଆଡ଼େ ଶୂନଶାନ୍ । ନିସ୍ତବ୍ଧ ରାତିରେ ରାଜରାସ୍ତାରେ ଶୋଇଛନ୍ତି ରାଜ୍ୟ ବାହାରୁ ଆସିଥିବା ଶ୍ରଦ୍ଧାଳୁ । ପୁରୀ ଜିଲ୍ଲାର ସାକ୍ଷୀଗୋପାଳଙ୍କ ଦର୍ଶନ ପାଇଁ ଆନ୍ଧ୍ରରୁ ଆସିଥିଲେ ୫୦ରୁ ଅଧିକ ତୀର୍ଥଯାତ୍ରୀ । ଠାକୁରଙ୍କ ଦର୍ଶନ ସାରିବା ପରେ ରହିବାକୁ ମିଳିଲାନି ଜାଗା । ତେଣୁ ସାକ୍ଷୀଗୋପାଳଙ୍କ ଦୋଳବେଦୀ ନିକଟ ମୁଖ୍ୟରାସ୍ତାରେ ଶୋଇବାକୁ ବାଧ୍ୟ ହେଲେ ଶ୍ରଦ୍ଧାଳୁ । ଅନେକ ସମୟରେ ଏଥିପାଇଁ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି । ରାସ୍ତାରେ ନଶୋଇବା ପାଇଁ ପୁଲିସ ଯାତ୍ରୀଙ୍କୁ ବାରଣ କରୁଛି ।
ସାକ୍ଷୀଗୋପଳଙ୍କ ଦର୍ଶନ ପାଇଁ ଆସୁଥିବା ଦର୍ଶନାର୍ଥୀଙ୍କ ରହଣି ପାଇଁ ଗୋଟିଏ ଯାତ୍ରୀ ନିବାସ ଓ କଲ୍ୟାଣ ମଣ୍ଡପ ଅଛି । ଶ୍ରଦ୍ଧାଳୁ ମାନେ ସେଠାରେ ରହିବା ସହ ସ୍ଥାନୀୟ ଲୋକ କମ୍ ଖର୍ଚ୍ଚରେ ବିବାହ, ବ୍ରତଘର ଆୟୋଜନ କରୁଥିଲେ । ହେଲେ ପ୍ରାୟ ୨ ବର୍ଷ ହେବ ଦୁଇଟି କୋଠାକୁ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିଜ ଅଧୀନରେ ରଖିଛି । ତେଣୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।
କେବଳ ଏମାନେ ନୁହଁନ୍ତି ଅନେକ ସମୟରେ ଭକ୍ତମାନେ ଏମିତି ଅସୁରକ୍ଷିତ ଭାବେ ରହୁଥିବା ଖବର ପ୍ରଶାସନ ପାଖରେ ଅଛି । ତଥାପି ଗୁରୁତ୍ୱ ଦିଆଯାଉନାହିଁ । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ରହଣି ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଦୁଇଟି ଅନୁଷ୍ଠାନକୁ ବିଶ୍ୱବିଦ୍ୟାଳୟ ନିକଟରୁ ଫେରାଇ ଆଣିବାକୁ ଦାବି ହୋଇଛି ।