କନକ ବ୍ୟୁରୋ: ଭାରତ ପାକିସ୍ତାନ ଯୁଦ୍ଧ ଭିତରେ ବୈଦ୍ୟୁତିକ ଗଣମାଧ୍ୟମ ଉପରେ ନୂଆ କଟକଣା । ଯୁଦ୍ଧ ସମ୍ବନ୍ଧିତ ଖବର ପ୍ରସାରଣ ସମୟରେ ବାଜିପାରିବ ନାହିଁ ସାଇରନ୍ । ଏୟାର ରେଡ୍ ସାଇରନ୍ ନବଜାଇବା ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଦେଇଛି ।
ସେପଟେ ଭାରତର ଅପରେସନ ସିନ୍ଦୂରକୁ ଆଉ ଏକ ବଡ଼ ସଫଳତା ମିଳିଛି । ଅପରେସନରେ ଆଉ ୫ କୁଖ୍ୟାତ ଆତଙ୍କୀ ମରିଥିବା ସ୍ପଷ୍ଟ କରିଛି ଭାରତୀୟ ସେନା । ମୃତକଙ୍କ ମଧ୍ୟରେ ଅଛି ମସୁଦ ଅଜହରର ଭିଣୋଇ ମହମ୍ମଦ ୟୁସୁଫ ଅଜହର । ୟୁସୁଫ ଜୈସ୍-ଏ-ମହମ୍ମଦ ଆତଙ୍କୀ ସଂଗଠନ ସହ ଜଡ଼ିତ ଥିଲା । ଜେଏମ୍ ଆତଙ୍କବାଦୀଙ୍କ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣର ପ୍ରମୁଖ ଥିଲା ୟୁସୁଫ । ଜମ୍ମୁ କାଶ୍ମୀରରେ ଅନେକ ଆକ୍ରମଣରେ ସାମିଲ ଥିଲା । ଏହାଛଡ଼ା ଲସ୍କର-ଏ-ତୋଏବା ସହିତ ଜଡ଼ିତ ଆତଙ୍କବାଦୀ ମୁଦାସର ଖାଦିଆନ୍ ଓରଫ ଆବୁ ଜୁନ୍ଦଲ ନିପାତ ହୋଇଛି । ଜେଇଏମ ଆତଙ୍କବାଦୀ ହାଫିଜ୍ ମହମ୍ମଦ ଜମିଲର ବି ପ୍ରାଣ ଯାଇଛି । ମାସୁଦ ଅଜହରର ବଡ଼ ଭାଇ ଥିଲା ହାଫିଜ୍ । ଲକ୍ସର-ଏ-ତୋଏବା ଆତଙ୍କୀ ଖାଲିଦ ଓରଫ ଆବୁ ଆକାଶା ଅପରେସନରେ ନିପାତ ହୋଇଛି । ଜମ୍ମୁ କାଶ୍ମୀରରେ ଅନେକ ଆତଙ୍କୀ ଆକ୍ରମଣରେ ସମ୍ପୃକ୍ତି ଥିଲା । ଜୈଶ-ଏ-ମହମ୍ମଦ ସଂଗଠନର ଆତଙ୍କବାଦୀ ମହମ୍ମଦ ହାସନ ଖାନ ମଧ୍ୟ ସଫା ହୋଇଛି । ପିଓକେରେ ଜେଇଏମର ଅପରେସନାଲ୍ କମାଣ୍ଡର ଥିବା ମୁଫତି ଅସଗର ଖାନ୍ର ପୁଅ ଥିଲା ମହମ୍ମଦ ହାସନ ଖାନ୍ ।
ପାକିସ୍ତାନ ବାରମ୍ବାର ସୀମାରେ ଗୁଳିବର୍ଷା କରୁଛି ଓ ନାଗରିକଙ୍କୁ ଟାର୍ଗେଟ୍ କରୁଛି। ପାକିସ୍ତାନର ସବୁ ଆକ୍ରମଣର ଗୋଟି ଗୋଟି କରି ଜବାବ ଦେଉଛି ଭାରତ । କେବଳ ଜବାବ ନୁହେଁ, କଡ଼ା ଜବାବ ଓ ମୁହଁତୋଡ଼ ଜବାବ ଦିଆଯାଉଛି । ସେପଟେ ପାକିସ୍ତାନର ସମସ୍ତ ମିସାଇଲ ଓ ଡ୍ରୋନ୍କୁ ଦମନ କରିବାକୁ ଭାରତୀୟ ସେନା ଶକ୍ତି ପ୍ରଦର୍ଶନ କରୁଛି । ଏହା ଭିତରେ ଶତ୍ରୁ ଦେଶର ‘ଫତେହ ୱାନ୍’ ମିସାଇଲକୁ ମାତ୍ ଦେଇଛି ଭାରତର ‘ବରାକ ୱାନ୍’ ମିସାଇଲ ।