କନକ ବ୍ୟୁରୋ : ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଆତ୍ମରକ୍ଷା ପାଇଁ ସରକାର କଲେଜ ମାନଙ୍କରେ ପ୍ରଶିକ୍ଷଣ ଦେଉଛନ୍ତି । ପ୍ରତିବର୍ଷ ଏଥିପାଇଁ କୋଟି କୋଟି ଟଙ୍କା କଲେଜଗୁଡ଼ିକୁ ପଠାଉଛନ୍ତି ରାଜ୍ୟ ସରକାର। କିନ୍ତୁ ଏହି ଟଙ୍କାରେ ପ୍ରଶିକ୍ଷଣ ଦିଆଯାଉନି ବରଂ କଲେଜ କର୍ତ୍ତୃପକ୍ଷଙ୍କ ପେଟ ଭରୁଛି । ଯାହା ଜଣାପଡ଼ିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସବୁ କଲେଜକୁ ଚିଠି ଲେଖି ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜଧାନୀର ବିଜେବି କଲେଜ, ବାଲେଶ୍ବରର ଫକୀରମୋହନ କଲେଜ, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ସମେତ ରାଜ୍ୟର ବହୁ ବଡ଼ ବଡ଼ ନାମୀ କଲେଜ ବି ଏ ତାଲିକାରେ ରହିଛି । ୩୧୬ କଲେଜକୁ ଚିଠି ଲେଖି ପ୍ରଦାନ କରାଯାଇଥିବା ପ୍ରାୟ ୩୦ ଲକ୍ଷରୁ ଅଧିକ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ କଲେଜରେ ହେଉଥିବା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉପରେ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ୍। 

Advertisment

 ୨୦୨୪-୨୫ ଆର୍ଥିକ ବର୍ଷରେ ବିଭିନ୍ନ କଲେଜକୁ ପ୍ରଶିକ୍ଷଣ ଦେବାକୁ ୫ ହଜାର ଟଙ୍କାରୁ ଆରମ୍ଭ କରି ୭୫ ହଜାର ଟଙ୍କା ପର୍ଯ୍ୟନ୍ତ  ଅର୍ଥ ଯୋଗାଇ ଦିଆଯାଇଥିଲା। କିନ୍ତୁ ସତସତିକା ଟ୍ରେନିଂ କ୍ୟାମ୍ପ ହୋଇନଥିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠିରେ ଲେଖାଯାଇଛି । ଯେଉଁଠି ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ହୋଇନାହିଁ ଓ ଟଙ୍କା ଫେରାଅ ବୋଲି ବିଭାଗୀୟ ଡେପୁଟି ସଚିବ ଅତି କଡ଼ା ଭାଷାରେ ଲେଖିଛନ୍ତି । କିନ୍ତୁ ଅର୍ଥ ଫେରସ୍ତ କରିବା ସମସ୍ୟାର ସମାଧାନ ନୁହେଁ । ବିଭାଗ କାହିଁକି ନିୟମିତ ଯାଞ୍ଚ କରୁନି ? ଖାଲି ଅର୍ଥ ଫେରସ୍ତ କଲେ ହେବନି। ଦୃଢ଼ କାର୍ଯ୍ୟାନୁଷ୍ଠାନ  ଜରୁରୀ ବୋଲି କହିଛନ୍ତି ଅଭିଭାବକ ।

କେବଳ ଆତ୍ମରକ୍ଷା ପ୍ରଶିକ୍ଷଣ ଅର୍ଥ ନୁହେଁ। ଶିକ୍ଷା ବିଭାଗ ପକ୍ଷରୁ ଏଭଳି ଅନେକ କାର୍ଯ୍ୟକ୍ରମ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି । କିନ୍ତୁ ତା’ର ସଠିକ୍ ତଦାରଖ କରାଯାଉନଥିବାରୁ ସରକାରୀ ଅର୍ଥ ବରବାଦ ହେଉଛି । ଯଦି ଏହାର ସଠିକ୍ ଯାଞ୍ଚ କରାଯାଆନ୍ତା ତହେଲେ ସରକାରୀ ଅର୍ଥ ସଠିକ୍ ବିନିଯୋଗ ହେବା ସହ ଛାତ୍ରଛାତ୍ରୀଙ୍କୁ ଲାଭ ମିଳିପାରନ୍ତା ।