କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଚେୟାରମ୍ୟାନ ନିଳେନ୍ଦ୍ରୀ ନାୟକଙ୍କ ବିରୋଧରେ ଅନାସ୍ଥା ଘଟଣା । ଭୋଟ ଦେବାକୁ ଆସିଲେ ନାହିଁ କୌଣସି ସରପଞ୍ଚ ଓ ସମିତିସଭ୍ୟ । କୋରମ୍ ଅଭାବରୁ କାଟ୍‌ ଖାଇଲା ଅନାସ୍ଥା । ତେନ୍ତୁଳିଖୁଣ୍ଟି ବ୍ଲକ ଚେୟାରମ୍ୟାନ ନିଳେନ୍ଦ୍ରୀ ନାୟକଙ୍କ ବିରୋଧରେ ଅନାସ୍ଥାର ଭୋଟିଂ ପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା । ତାଙ୍କ ବିରୋଧରେ ୨୩ ଜଣ ସରପଞ୍ଚ ଓ ସମିତି ସଭ୍ୟ ମିଳିତ ଭାବେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ତେବେ ଭୋଟ୍ ଦେବାକୁ କେହି ମଧ୍ୟ ସରପଞ୍ଚ କି ସମିତିସଭ୍ୟ ଆସିନଥିଲେ । ଫଳରେ ଅନାସ୍ଥା କାଟ୍ ଖାଇଛି । ଗତ ଚେୟାରମ୍ୟାନ ନିର୍ବାଚନ ବେଳେ ୧୫ ଜଣ ସମିତିସଭ୍ୟଙ୍କ ମଧ୍ୟରୁ ଜଣେ ସମିତିସଭ୍ୟ ସ୍ୱାସ୍ଥ୍ୟ ଖରାପ ଥିବା ଦର୍ଶାଇ ଭୋଟଦାନରୁ ବିରତ ଥିଲେ । ସପକ୍ଷ ଓ ବିପକ୍ଷରେ ୭-୭ଟି ଭୋଟ୍ ପଡିବା ପରେ ଧର୍ମଗୁଳାରେ ନିଳେନ୍ଦ୍ରୀ ନାୟକ ବିଜୟୀ ହୋଇଥିଲେ । କିନ୍ତୁ ଗତ ନିର୍ବାଚନରେ ନବରଙ୍ଗପୁର ଆସନର କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟର ସମିତିସଭ୍ୟ ଦିଲ୍ଲିପ ପ୍ରଧାନୀ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ।