କନକ ବ୍ୟୁରୋ: ବିରଳ ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଗହୀରମଥାରେ ପାଟ୍ରୋଲିଂ ପାଇଁ ଥିବା ଦୁଇଟି ସ୍ପିଡ୍ ବୋଟ ଅଚଳ ହୋଇ ପଡିଛି । ଭଡାରେ ଟ୍ରଲର ଆଣିବାକୁ ଏଯାଏଁ ଟେଣ୍ଡର ବି ଡକାଯାଇନି । ଅଥଚ କଇଁଛ ଋତୁ ନଭେମ୍ବର ୧ ରୁ ଆରମ୍ଭ ହୋଇଛି, ବନବିଭାଗ ପାଟ୍ରୋଲିଂ କରୁଛି ବୋଲି ଡିଏଫଓ ଗଣମାଧ୍ୟମକୁ ସୂଚନା ଦେଉଛନ୍ତି । ପ୍ରକୃତ ସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଓଲଟା । କଇଁଛ ଋତୁ ପ୍ରତିବର୍ଷ ପରି ନଭେମ୍ବର ୧ ରୁ ଚଳିତବର୍ଷ ଆରମ୍ଭ ହୋଇଥିଲେ ବି ବନବିଭାଗ ହାତରେ ପାଟ୍ରୋଲିଂ ପାଇଁ ଗୋଟିଏ ବି ଟ୍ରଲର ନାହିଁ । 

Advertisment


ଅଲିଭ ରିଡଲେଙ୍କ ଅନ୍ତୁଡିଶାଳ ରାଜନଗରର ଗହୀରମଥା । ସମଗ୍ର ବିଶ୍ୱରେ ଉପଲବ୍ଧ ହେଉଥିବା ଅଲିଭରିଡଲେଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଗହୀରମଥାରେ ସମାଗମ ହୋଇଥାନ୍ତି । ପ୍ରତିବର୍ଷ କଇଁଛଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ନଭେମ୍ବର ୧ରୁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଁଣ ଠାରୁ ଦେବୀ ମୁହାଁଣ ଯାଏଁ ୧୬୦ କିମି ପର୍ୟ୍ୟନ୍ତ ଟ୍ରଲର ଚଳାଚଳ ଓ ମାଛଧରା ଉପରେ କଟକଣା ଜାରି କରାଯାଇଛି । ଅତିଥି କଇଁଛଙ୍କ ଆଗମନ ହେଲାଣି ହେଲେ ସେମାନଙ୍କ ସୁରକ୍ଷା ପାଇଁ ବନବିଭାଗ ପାଖରେ ଆଦୌ ଟ୍ରଲର ବା ସ୍ପିଡବୋଟ ନଥିବାରୁ ବିନା ପାଟ୍ରୋଲିଂରେ ସେମାନେ କିପରି ସୁରକ୍ଷିତ ରହିବେ, ତାକୁ ନେଇ ପ୍ରଶ୍ନ ଉଠିଛି । ଗହୀରମଥା-୧  ଓ ଗହୀରମଥା-୨ ନାମରେ ଦୁଇଟି ହାଇସ୍ପିଡ ବୋଟ ଆସିବା ପରେ କଇଁଛ ସୁରକ୍ଷା ତ୍ୱରାନ୍ୱିତ ହୋଇଥିଲା । ମାତ୍ର ଏହି ଦୁଇଟି ହାଇସ୍ପିଡ ବୋଟ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି । 

ପ୍ରତିବର୍ଷ ପାଟ୍ରୋଲିଂ ଅଭାବରୁ ଗଭୀର ସମୁଦ୍ର ମଧ୍ୟରେ ମାଛ ମାଫିଆମାନେ ନିର୍ଦନ୍ଦ୍ୱରେ ମାଛ ମାରୁଥିବାରୁ ଶହ ଶହ କଇଁଛ ମରି ପଡିଥିବାର ଚିତ୍ର ସାମ୍ନାକୁ ଆସେ । ଚଳିତବର୍ଷ ପାଟ୍ରୋଲିଂରେ ନିୟୋଜିତ ହେଉଥିବା ଏହି ଦୁଇଟି ସ୍ପିଡବୋଟ ଏବେ ସମ୍ପୂର୍ଣ୍ଣ ଅଚଳ ହୋଇ ପଡି ରହିଛି । କଇଁଛ ଋତୁ ପୂର୍ବରୁ ବନବିଭାଗ କାହିଁକି ଏହି ବୋଟକୁ ସଜାଡିଲାନି, ସେ ନେଇ ପରିବେଶବିତ ମାନେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ଖୁବଶୀଘ୍ର ଏହି ବୋଟ ମରାମତି କରାଯାଇ ପାଟ୍ରୋଲିଂ କାର୍ୟ୍ୟରେ ନିୟୋଜିତ କରାଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଅତିଥି କଇଁଛଙ୍କ ସୁରକ୍ଷା ପାଇଁ ସବୁ ସ୍ତରରେ ଗୁରୁତ୍ୱାରୋପ କରାଯାଉଥିବା ବେଳେ ଆଜି ଯାଏଁ କାହିଁକି ପାଟ୍ରୋଲିଂ ପାଇଁ ଟ୍ରଲରର ବ୍ୟବସ୍ଥା କରାଯାଇନି, ସେ ନେଇ ପ୍ରଶ୍ନ ଉଠିଛି ।