କନକ ବ୍ୟୁରୋ : ରହିବା ପାଇଁ ଭଲ ଘର ଖଣ୍ଡିଏ ନାହିଁ । ଖରା ବର୍ଷା ଶୀତ କାକରରେ ବର୍ଷ ବର୍ଷ ସୁରକ୍ଷା ଯୋଗାଉଥିବା ଚାଳ ଛପରଟି ଲଗାଣ ବର୍ଷାରେ ଭାଙ୍ଗିଯିବା ପରେ ନିରାଶ୍ରୟ ହୋଇ ପଡ଼ିଛନ୍ତି ପରିବାର ।
ଘର କହିଲେ, ଦଦରା ମାଟି କାନ୍ଥ ଉପରେ ଜରିପାଲ । ବାଉଁଶ ଢ଼େରାରେ ଠିଆ ହୋଇଛି ଭଙ୍ଗା କୁଡ଼ିଆ । ମାସେ ଦୁଇ ମାସେ ନୁହେଁ, ୨୫ ବର୍ଷ ହେଲାଣି ଏହି ଘରେ ମୁଣ୍ଡ ଗୁଞ୍ଜିଛନ୍ତି ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ଗାଁର ବୃଦ୍ଧା ଅମ୍ବିକାଙ୍କ ପରିବାର । ନିଜର ଠିକଣା ନାହିଁ କିନ୍ତୁ ମାଟି କାନ୍ଥରେ ଥାକ ଥାକ କରି ଠାକୁରଙ୍କୁ ରଖିଛନ୍ତି । ନିଜେ କେବେକେବେ ଉପାସରେ ରହିଛନ୍ତି ହେଲେ ଠାକୁର ପୂଜା କେବେ ବନ୍ଦ କରିନାହାନ୍ତି । ପକ୍କା ଘରଟିଏ ପାଇଁ ସରକାରୀ ବାବୁଙ୍କୁ କେତେ ନେହୁରା ହୋଇଛନ୍ତି । ହେଲେ ନା ପ୍ରଶାସନ ପହଞ୍ଚିଛି ନା ପହଞ୍ଚିଛି ସରକାରୀ ଯୋଜନା ।
ବର୍ଷା ଦିନେ ଆସିଲା ତ କଥା ସରିଲା । ଘରେ ପାଣି ପଶିଯାଏ । କଂସା, ତାଟିଆରେ ପାଣି କାଢ଼ି ପୁଣି ସେଇଠି ରାତି ବିତେ । ଗତ ଲଗାଣ ବର୍ଷାରେ ଘରର ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିଥିଲା । ଆଜବେଷ୍ଟସ୍, ଜରିପାଲ ବାନ୍ଧି ବଞ୍ଚିବାକୁ ଚେଷ୍ଟା କରୁଛି ଏହି ପରିବାର । ମୂଲ ଲାଗି ଚଳନ୍ତି ଏମାନେ । ଘର ମରାମତି ବା କେମିତି କରିବେ । ଆଗକୁ ଶୀତ ଆସୁଛି । ନିଜ ଦେଢ ମାସର ନାତିକୁ ନେଇ କିପରି ଏହି ଭଙ୍ଗାଘରେ ରହିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅମ୍ବିକା ଓ ତାଙ୍କ ପରିବାର।
ଅସହାୟ ପରିବାର ପାଖରେ କେବେ ପହଁଚିବ ଜିଲ୍ଲା ପ୍ରଶାସନ? କେବେ ମିଳିବ ସରକାରଙ୍କ ପକ୍କାଘର? ଏବେ ତାକୁ ହିଁ ଅପେକ୍ଷା।