କନକ ବ୍ୟୁରୋ: ଗାଁକୁ ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହା ହେଲେ ରୋଗୀ । କାଦୁଅ ପଚପଚ ବିଲ ହିଡ଼ରେ ପ୍ରାୟ ୧ କିଲୋମିଟର ଷ୍ଟ୍ରେଚରରେ ଆସିବା ପରେ ଦମକଳ ଗାଡ଼ିରେ ରୋଗୀ ଗଲେ ମେଡିକାଲ । ଏଭଳି ଅଭାବନୀୟ ଦୃଶ୍ୟ କେଉଁ ଉପାନ୍ତ ଅଞ୍ଚଳର ନୁହଁ ବରଂ ରାଜଧାନୀରୁ ମାତ୍ର ୪୦ କିଲୋମିଟର ଦୂର ନିଆଳିରେ ଦେଖିବାକୁ ମିଳିଛି । ଜଲ୍ଲାରପୁର ପଞ୍ଚାୟତର ଭାରତିହୁଡାର ଦେବନ୍ଦ୍ର ମଲ୍ଲିକଙ୍କ ସ୍ତ୍ରୀ ମିତା ମଲ୍ଲିକ ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯିବାର ଆବଶ୍ୟକତା ଥିଲା । କିନ୍ତୁ ଗାଁକୁ ରାସ୍ତା ନଥିବାରୁ କେମିତି ଆମ୍ବୁଲାନ୍ସ ଆସିବ ତାକୁ ନେଇ ଚିନ୍ତା ବଢ଼ିଥିଲା । ଏହାସତ୍ତ୍ୱେ ବି ପ୍ରଥମେ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା, କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକ ନିଆଳି ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ ।

Advertisment

ଗାଁ ଲୋକ ଶିକା ବାଉଁଶରେ ରୋଗୀଙ୍କୁ ବସାଇ କିଛି ବାଟ ଆଣିବା ପରେ ଦମକଳ ଗାଡି ପହଞ୍ଚିବାରୁ ଷ୍ଟ୍ରେଚରରେ ପ୍ରାୟ ୧କିଲୋମିଟର ରାସ୍ତା ବୋହି ବୋହି ଆଣିଥିଲେ । ସମ୍ପୃକ୍ତ ମହିଳାଙ୍କୁ  ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । ବିଡ଼ମ୍ବନାର କଥା ଏବେ ଡିଜିଟାଲ ଇଣ୍ଡିଆ, ବିକଶିତ ଓଡିଶାର ସ୍ୱପ୍ନ ଦେଖାଯାଉଥିବାବେଳେ ଆଜି ବି ଏହି ଗାଁକୁ ରାସ୍ତା ନାହିଁ । ମୁଖ୍ୟ ରାସ୍ତାରୁ ଏକ ବିଲ ହୁଡା ଦେଇ ଅଧ କିଲୋମିଟର ରାସ୍ତା କାଦୁଅ ଭିତରେ ପଶି ଯିବାକୁ ପଡେ ଭାରତୀହୁଡାକୁ ।

ଦେଶ ସ୍ୱାଧୀନତାର ଏତେ ବର୍ଷ ପୂରିଥିଲେ ବି ଆଜି ପର୍ଯ୍ୟନ୍ତ ହେଲା ଏହି ଗାଁକୁ ବିକାଶ ସାତ ସପନ ପାଲଟିଛି । ଏହି ଗାଁରେ ୮ଟି ପରିବାର ବାସ କରନ୍ତି, ଯାହାଙ୍କର ମୁଖ୍ୟ ସମସ୍ୟା ହେଲା ରାସ୍ତା । ରାସ୍ତା ସୁବିଧା ନଥିବାରୁ ବର୍ଷା ୪ମାସ ବିଧ୍ୟାଳୟକୁ ନଯାଇ ଅନୁପସ୍ଥିତ ରହି ଥାଆନ୍ତି ଏହି ଗାଁର ଛାତ୍ର । ଏମିତିକି ରାସ୍ତା ନଥିବାରୁ ଏହି ଗାଁକୁ ପୁଅ ପାଇଁ ବୋହୂ ଓ ଝିଅ ପାଇଁ ଜ୍ୱାଇଁଘର କରିବାକୁ କେହି ରାଜି ହୁଅନ୍ତି ନାହିଁ ବୋଲି ଗାଁ ଲୋକ ଅଭିଯୋଗ ବି କରନ୍ତି । ବାରମ୍ବାର ଏନେଇ ଅଭିଯୋଗ ହୋଇଛି ସତ କିନ୍ତୁ ଆଜି ଯାଏଁ ସମସ୍ୟାର ସମାଧାନ ହୋଇପାରିନି । ଆଜି ବି ଭାରତୀହୁଡ଼ାବାସୀଙ୍କ ପାଇଁ ଯେମିତି ରାସ୍ତା ଖଣ୍ଡିଏ ସାତ ସପନ ପାଲଟିଛି ।