କନକ ବ୍ୟୁରୋ : ଉପାନ୍ତ ନବରଙ୍ଗପୁର ଜିଲ୍ଲାରେ ଶିକ୍ଷାର ଆଲୋକ ବୁଣିବା ପାଇଁ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ତୁମ୍ବର୍ଲା ଜେଇଏଲସି ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା । ସ୍ୱାଧୀନତା ପୂର୍ବରୁ ୧୯୪୬ ଜୁନ୍ରେ ପ୍ରତିଷ୍ଠିତ ବିଦ୍ୟାଳୟ ବର୍ତ୍ତମାନ ଜରାଜୀର୍ଣ୍ଣ । ୨ଟି ଶ୍ରେଣୀ ଗୃହରେ ଚାଲିଛି ଶିକ୍ଷାଦାନ ସହ ମଧ୍ୟାହ୍ନ ଭୋଜନ ରୋଷେଇ । ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୫୦ଜଣ ପିଲା ପଢୁଛନ୍ତି । ଶ୍ରେଣୀ ଗୃହ ଛାତରୁ ପାଣି ଗଳୁଥିବାରୁ ଛାତ ଉପରେ ଟିଣ ପଡ଼ିଛି । ଯେକୌଣସି ମୁହୂର୍ତ୍ତରେ ଘର ଭୁଶୁଡ଼ି ପଡ଼ିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।
ସ୍ୱାଧୀନତା ପୂର୍ବର ଏହି ବିଦ୍ୟାଳୟର ମରାମତି ଅଭାବରୁ ଆଜି ଏଭଳି ସ୍ଥିତିରେ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ସ୍କୁଲ ମରାମତି ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ଅଭିଭାବକ । ନୂତନ କୋଠା ନିର୍ମାଣ ଲାଗି ବନ୍ଦୋବସ୍ତ କରିବାକୁ ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିବା କହିଛନ୍ତି ପାପଡାହାଣ୍ଡି ବିଡ଼ିଓ ।
ପୂର୍ବ ସରକାର ସମୟରେ ତ ମରାମତି ହେଲା ନାହିଁ । ବର୍ତମାନର ସରକାର ଉପାନ୍ତ ଅଂଚଳର କୁନି କୁନି ପିଲାଙ୍କ ଭବିଷ୍ୟତକୁ ନେଇ କଣ ପଦକ୍ଷେପ ନେଉଛନ୍ତି, ତାହା ଆଗାମୀ ଦିନରେ ଜଣାପଡ଼ିବ।