କନକ ବ୍ୟୁରୋ : ଶାସନ ବ୍ୟବସ୍ଥାରେ ଆଉଟସୋର୍ସିଂ ଉପରେ ଅଙ୍କୁଶ ଲଗାଇବାକୁ ଚାହୁଛନ୍ତି ସରକାର। ଏଥିପାଇଁ ଚିଠି ପରେ ଚିଠି, ତାଗିଦ ପରେ ତାଗିଦ କରାଯାଉଛି । ହେଲେ କିଛି ବାବୁଙ୍କ ଆଉଟସୋର୍ସିଂ ପ୍ରୀତି ଏବେ ପୁଣିଥରେ ଆଉଟସୋର୍ସିଂ ନିଯୁକ୍ତି ପାଇଁ ବାଟ ଖୋଲିଛି । ନଜର ପକାନ୍ତୁ ସମବାୟ ବିଭାଗ ଓ ରାସ୍ତା ଓ ମୁଖ୍ୟଯନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଚିଠି ଉପରେ। ଆଉଟ୍ସୋର୍ସିଂ ଜରିଆରେ ଗ୍ରୁପ୍-ଡି କର୍ମଚାରୀ ନିଯୁକ୍ତି ପାଇଁ ଅର୍ଥ ବିଭାଗର ଅନୁମତି ଲୋଡ଼ିଛି ସମବାୟ ବିଭାଗ। ୨୦ ଜଣଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତାବ ଦେବା ସହ କମ୍ ମାନବସମ୍ବଳକୁ ଆଳ କରିଛି ସମବାୟ ବିଭାଗ । ସେହିଭଳି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ବିଭିନ୍ନ କାମରେ ନିୟୋଜିତ କରିବାକୁ ୧୪ ଜଣଙ୍କୁ ଆଉଟସୋର୍ସିଂ ଜରିଆରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଯାହାକୁ ନେଇ ତେଜିଛି ରାଜନୀତି ।
ସରକାରୀ ତଥ୍ୟ କହୁଛି, ରାଜ୍ୟରେ ପ୍ରାୟ ୧୦ ଲକ୍ଷ ଛାତ୍ରଛାତ୍ରୀ ଚାକିରି ପାଇଁ କର୍ମ ନିୟୋଜନ ସଂସ୍ଥାରେ ନାଁ ପଞ୍ଜୀକରଣ କରିଛନ୍ତି । ସରକାର ଚାହୁଛନ୍ତି, ବିଭାଗୱାରୀ ଫାଙ୍କା ପଡ଼ିଥିବା ପଦବୀ ପୂରଣ ହେଉ। ଯାହାର ଫାଇଦା ଉଠାଇଛନ୍ତି କିଛି ବାବୁ । ବିଭାଗରେ କର୍ମଚାରୀ ଅଭାବକୁ ଆଳ କରି ଆଉଟସୋର୍ସିଂ ବ୍ୟବସ୍ଥାକୁ ଭରସିଛନ୍ତି । ପ୍ରଶ୍ନ ଉଠୁଛି, ଆଉଟସୋର୍ସିଂ ନିଯୁକ୍ତି ବଦଳରେ ସ୍ଥାୟୀ ନିଯୁକ୍ତି ଦେବାରେ ଅସୁବିଧା କେଉଁଠି ? ଆଉଟସୋର୍ସିଂ ନିଯୁକ୍ତି ପଛରେ ଅଛି କି କିଛି ନ୍ୟସ୍ତ ସ୍ବାର୍ଥ?
ପୂର୍ବ ସରକାର ଆଉଟସୋର୍ସିଂ ବ୍ୟବସ୍ଥାକୁ ଜାବୁଡ଼ି ଧରିଥିଲେ। ନୂଆ ସରକାରରେ ଏହି ବ୍ୟବସ୍ଥାରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଆଶା କରାଯାଉଥିଲା । ହେଲେ ଆଉଟସୋର୍ସିଂ ନିଯୁକ୍ତି ପାଇଁ କିଛି ବିଭାଗ ଅନୁମତି ଲୋଡିବା ପୁଣିଥରେ ଆଉଟସୋର୍ସିଂର ଆୟୁଷକୁ ବୃଦ୍ଧି କରିଛି ।